ଶୀତ
ଶୀତ
ତୁମ ଆଗମନେ ରୋମାଞ୍ଚିତ ହୋଇ
ଦେହ ମୋ ଶୀତେଇ ଯାଏ,
କମ୍ବଳ ରେଜେଇ ଦୀର୍ଘ ନିଦ୍ରା ତେଜି
ଊଷ୍ମ ଆଲିଙ୍ଗନ ଦିଏ॥୧॥
ସକାଳ ସୂର୍ଯ୍ୟର ସୁନେଲି କିରଣ
ଧରା ଆଗମନ କାଳେ,
ଶରତ ଶିଶିର ଅପସରି ଯାଏ
ଘନ କୁ୍ଜ୍ଝଟିକା ଖେଳେ॥୨॥
ସବୁଜ ଶସ୍ୟ କ୍ଷେତ ଜାଣି ତୁମ
ଯଥାକାଳ ଆଗମନ,
ସବୁଜ ପାଟ ତା ବଦଳାଇ ଦେଇ
ପିନ୍ଧଇ ପୀତ ବସନ॥୩॥
ହସଇ ସେବତୀ ଡାଲିଆ ଗୋଲାପ
ବଢାଇ ଉଦ୍ୟାନ ଶୋଭା,
ଭ୍ରମନ୍ତି ଭ୍ରମର ଗୁଣୁ ଗୁଣୁ ତାନେ
ଦୃଶ୍ୟ ଅତି ମନ ଲୋଭା॥୪॥
ହଳଦୀ ବରଣି ସୋରିଷ ଫୁଲର
ଅପରୂପ କାନ୍ତି ଦେଖି,
ରାଗେ ଜର ଜର ହଳଦୀବସନ୍ତ
ବୁଜି ଦେଇଛି ତା ଆଖି॥୫॥
କୋବି ବାଇଗଣ ପିଆଜ ରସୁଣ
ଧନିଆ କୋଶଳା ମୂଳା,
ବଜାର ହାଟରେ ବିକା କିଣା ଲାଗି
ବେପାରୀ ମାନଙ୍କ ମେଳା॥୬॥
ଶୀତୁଆ ପବନେ ରୁକ୍ଷ ହୋଇ ବୃକ୍ଷ
ପତ୍ର ସବୁ ଦେଇ ଝାଡି
ଅପେକ୍ଷା କରନ୍ତି ପଲ୍ଲବିତ ହେବେ
ଶୀତ ଯେବେ ଯିବ ଛାଡି॥୭॥
ମାଆ ଲକ୍ଷ୍ମୀଙ୍କର ଆଗମନ ପାଇଁ
ଗୃହିଣୀ ଆନନ୍ଦ ମନ,
ଝୋଟି ଚିତା ଲେଖି ସ୍ୱାଗତ କରିବେ
ମନସ୍କାମ ହେବ ପୂର୍ଣ୍ଣ॥୮॥
ପଉଷ ପୂର୍ଣ୍ଣମୀ ଅଗ୍ନି ଉତ୍ସବାଦି
ଶୀତ ଦିନିଆ ପରବ,
ଆନନ୍ଦ ଉଲ୍ଲାସେ ପାଳନ କରିବେ
ଭୁଲି ଜାତି ଭେଦ ଭାବ॥୯॥
କିଏ କାଟେ ନିଶି ପ୍ରିୟା ସହ ମିଶି
ରେଜେଇ କମ୍ବଳ ତଳେ,
କିଏ ବିରହରେ ରାତ୍ରି ଉଜାଗରେ
ନୟନୁ ଲୋତକ ଢାଳେ॥୧୦॥
କିଏ ବାସହୀନ ଭୋଗଇ କଷଣ
ଖୋଜଇ ଆଶ୍ରୟ ସ୍ଥଳ,
କିଏ ସାହା ହେବ ସ୍ୱାର୍ଥୀ ଦୂନିଆରେ
ହୀନ ତାହାର କପାଳ॥୧୧॥
କାହା ପାଇଁ ତୁମେ ପୁଷ ମାସ ପୁଣି
କାହା ପାଇଁ ସର୍ବ ନାଶ,
ତୁମ ଆଗମନେ କିଏ ପାଏ ଦୁଃଖ
କିଏ ହୁଅଇ ହରଷ॥୧୨॥
ଋତୁଚକ୍ରେ ତୁମ ଅବସ୍ଥିତି ସଦା
ପ୍ରକୃତି ମଙ୍ଗଳ ପାଇଁ,
ଯଥା ସମୟରେ ଆସିବା ପାଇଁ କି
କେବେ ବି ଭୁଲିବ ନାହିଁ ॥୧୩॥
******