ସୁଖରେ ଥାଇ ମୁଁ ଡାକୁ ନାହିଁ ବୋଲି
ସୁଖରେ ଥାଇ ମୁଁ ଡାକୁ ନାହିଁ ବୋଲି
ସୁଖରେ ଥାଇ ମୁଁ ଡାକୁନାହିଁ ବୋଲି
କରିଛ କି ମନ ଉଣା
ସୁଖେ ଡାକି କିଏ ପ୍ରାପତ ହୋଇଛି
ସୁଖ କରେ ବାଟ ବଣା ।
କେତେ ଡାକ ଡାକେ ବସି ତୋର ପାଖେ
ନିତି ମୁଁ ସଞ୍ଜ ସକାଳେ
ଆଉ କିବା ଡାକ ଲୋଡ ତୁମେ ପ୍ରଭୁ
ଅଛି କିଛି ଅନ୍ତରାଳେ?
ମଣିମା ଶୁଣିବା ହେଉ ବାରେ ଡାକ
ଡାକ ନୁହେଁ କିଛି ପାଇଁ
ସବୁ ମନ୍ଦିର ତ ବୁଲି ଆସିଲିଣି
କୃପା କିନ୍ତୁ ପାଉ ନାହିଁ ।
ଦୁଃଖ ପାରାବାରେ ବୁଡି ନାହିଁ ନାଥ
ଯାହା ମୁଁ ପାଇଛି ଖୁସି
କୃପାଳୁ ନୀଳାଦ୍ରି ବୋଲି ତୁମେ ରାଜା
ମାଗେ କିଛି ଅବିନାଶି ।
ସେଥିପାଇଁ ଲୋଡେ ତୁମ ଅନୁଭବ
ମୋ ପାଖରେ ଥିବ ସଦା
ତୁରିତେ ଦୁରିତ ନାଶ କର ବୋଲି
ଉଠାଅ କିରତି ଧ୍ୱଜା ।
କେତେ କାଳୁ ମୋର ରହିଅଛି ଆଶ
ତୁମ ଅନୁଭବ ନେବି
ଦର୍ଶନେ କଥନେ ଅବା ବନ୍ଧୁ ପଣେ
ଶରଣାଗତ ମୁଁ ହେବି ।
ନାହିଁ ଯଦି ନାହିଁ କଥା ସରିଯାନ୍ତା
ପିଟାଅ କାହିଁକି ମଥା
ମୋହରି ବେଳକୁ କରୁଣାର ବାରି
ପଡି ଯାଇଛି କି ଶୁଖା ।
ନୁହେଁ ଅକ୍ଷୁବ୍ଧ ବୋଲି ଅକିଞ୍ଚନ
ଦିଅ ମୋତେ ଅଙ୍ଗିକାର
ମାଗୁନି ଅଜର ନୁହେଁ ଅଜମ୍ବର
ହେବାକୁ ନିକଟତର ।
ପ୍ରଶାନ୍ତ କୁମାର ହୋତା