ବାପାଙ୍କ ହାତ ଘଣ୍ଟା
ବାପାଙ୍କ ହାତ ଘଣ୍ଟା
ବାପାଙ୍କ ବାମ ହାତରେ
ପରସ୍ତେ ମଇଳା ଜମା, ଖୁବ ପୁରୁଣା
ଚାବି ଦିଆ ହାତ ଘଣ୍ଟା ।
ଯାହାକୁ ବାପା ସବୁ ଦିନ ଠିକ୍ ବାରଟାରେ
ଚାବି ଦେଇ ଦେଲା ପରେ
ସେ ଚାଲିବା ଆରମ୍ଭ କରେ
ଆଉ ବାପା ତା’ ସାଙ୍ଗରେ
ତାଳ ଦେଇ ଦଉଡିବା ଆରମ୍ଭ କରନ୍ତି
ଜୀବନ ସଂଘର୍ଷର ମୈଦାନରେ ।
ଯେଉଁଠି ବାପା ଖଞ୍ଜି ଦେଇଛନ୍ତି ନିଜକୁ
ଉଠିବାଠୁ ଶୋଇବା ଯାଏଁ
ଆଉ ଶୋଇବା ଠୁ ଉଠିବା ଯାଏଁ
ଆଉ ସେଇଥି ପାଇଁ ତ
ପ୍ରତିଟି ସମୟରେ ତାଙ୍କ ତୀକ୍ଷ୍ଣ ନଜର
ହାତ ଘଣ୍ଟାର କଣ୍ଟା ମାନଙ୍କ ଉପରେ ।
ତା’ର ପ୍ରତିଟି ଟିକ୍ ଟିକ୍ ଶବ୍ଦ
ବାପଙ୍କୁ ବୋଧେ ଭାରି ଜୋର୍ ରେ ଶୁଭେ
ତାଙ୍କ ଦାୟିତ୍ଵ ସବୁକୁ ଚେତେଇ ଦିଏ
ବାପଙ୍କୁ ସତେଜ କରିଦିଏ ସବୁବେଳେ ।
ଆଉ ବାପ ବି ତା’ର ପ୍ରତିଟି ନିର୍ଦ୍ଦେଶକୁ
ବୁଝି ନିଅନ୍ତି ଖୁବ ସହଜରେ ।