ଅନୁଚିନ୍ତା
ଅନୁଚିନ୍ତା
କର୍ମଫଳ ନେଇ ରୂପ ,ପରିବାର
ପ୍ରାପ୍ତ ,ଆମ ସଭିଙ୍କର
ସୁକୀର୍ତ୍ତି ସାଧନେ ହରିଙ୍କ ମନନେ
ଘୁଞ୍ଚିବ ଦୁଃଖ ମନର ।।
ରୂପ କଥା ଯଦି ଟିକିଏ ଭାବିବା
ବୋଧ ହେବ ସତ୍ୟଭାଷ
ଚିନ୍ମୟ ସ୍ଵରୂପ ଆତ୍ମା ଯେ ଆମର
ସଗୁଣେ ମାଧବ ବେଶ ।।
ମୂଳରୂପେ ଆମେ ସୁନ୍ଦର, ସୁନ୍ଦରୀ
ତୁଳନା ଯାହାର ନାହିଁ
'ସାରୂପ୍ୟ' ମୁକତି ଲଭିଲେ ମାନବ
ସେହି ରୂପ ଲଭିଥାଇ ।।
ବହିରଙ୍ଗ ଦେଖି ଭ୍ରମେ ପକାଇବା
ଦର୍ଶନ ଇନ୍ଦ୍ରିୟ କାମ
ବିନା ବିବେକ ଓ ଶରଣ ବୁଦ୍ଧିରେ
ଫଳଟି ହୋଇବ ବାମ ।।
ସୁବିଚାର ଥିଲେ ଯାହାଙ୍କୁ ଦେଖିବା
ସୁନ୍ଦର ହିଁ ଦେଖୁଥିବା
ଅଭ୍ୟାସ ,ମନନେ ସ୍ଵରୂପ ଚିନ୍ତିଲେ
ଚିନ୍ତାମଣି ପାଇଯିବା ।।
ବିବାହ କ୍ଷେତ୍ରରେ କୁରୂପ, ସୁରୂପ
ମନ୍ଦ ଭାବ ପାଶୋରିବା
ନ ମାନିଲେ ମନ ଶୁଭ ବୁଦ୍ଧି ନେଇ
ଟିକେ ତାକୁ ମନାଇବା ।।
ଶୁଭ ଭାବନାଟି ଦିବ୍ୟ ହେବ ଦିନେ
ପ୍ରୟାସ ଯେବେଟି ଥିବ
ଧୀର ପାଣି ସମ ଶିଳାକ୍ଷୟ କାର୍ଯ୍ୟ
ଅଚିରେ ସମ୍ଭବ ହେବ ।।