ମୋ ବୋଉ
ମୋ ବୋଉ
ମୋ ବୋଉ ଅତି ସରଳ
ଅପାଠୋଇ ମଫସଲି ଗାଉଁଲି
ଅକ୍ଷର ଶିଖିନି ସେ ଅ ,ଆ, କ, ଖ
ଗଣିତ ଜାଣେନି ମିଶାଣ,ଫେଡ଼ାଣ,ଗୁଣନ,ହରଣ
ଜାଣେନି ଭଗ୍ନାଂଶ ଅବା ଦଶମିକ
ଗଣିତ ଜାଣେନି ବୋଲିତ
ଜାଣେନି ଏ ସଂସାରର ଫାନ୍ଦ ଫିକର
ଜଟିଳ ବନ୍ଧନ ଅବା କୁଟିଳ ବନ୍ଧନ ।।
ମୋ ବୋଉ ସ୍ଥିତପ୍ରଜ୍ଞା
ଧୀର ସ୍ଥିର ସରଳ ବିଶ୍ବାସୀ
ଦୁନିଆ ର କୁଟିଳତା ଠାରୁ ବହୁ ଦୂରରେ
ଭାଗ ମାପରେ ସେ ଚାଲେ ନାହଁ
ହିସାବ କିତାବ ରଖେନି ସେ ଜୀବନ ଖାତାର
ଯାହା ଯେମିତି ଗୁଜୁରାଣ ମେଣ୍ଟିଗଲେ ଯାଏ
ସକାଳରୁ ସଂଜ ହୁଏ
ରାତି ଗାଢ ହୁଏ ,ନୀରବତା ବଢିଚାଲେ
ମାତ୍ର ମୋ ବୋଉର କାମ ସରେନି
ଲାଗିଥାଏ ଯେ ଲାଗିଥାଏ ।।
ମୋ ବୋଉ ଟିକେ ଅଭିମାନୀ
ପରମ୍ପରା ରେ ସେ ଗଭୀର ବିଶ୍ବାସୀ
ହୋଇପାରେ ଟିକେ ରକ୍ଷଣଶୀଳା ହୁଏତ ,
ବାପା ଗାଳି ଦେଲେ ସେ ଅଭିମାନ କରେ
କିନ୍ତୁ ଜବାବ ଦିଏନି ଓଲଟା
ଅପାଠୋଇ ହେଲେବି ଜାଣିଛି ସେ
ସ୍ବାମୀ ତା'ର ଇହକାଳ ଓ ପରକାଳର ଦେବତା
ସ୍ବର୍ଗ ମର୍ତ୍ତ୍ୟ ପାତାଳକୁ ଦେଖେ ତାଙ୍କରି ଦେହରେ
ଢାଳିଦିଏ ତା' ହସ ଲୁହ ତାଙ୍କରି ପାଦରେ ।।
ମୋ ବୋଉ ସହନଶୀଳା ,ଧୈର୍ଯ୍ଯଶୀଳା ମଧ୍ୟ
ସହଜରେ ଭାଙ୍ଗିପଡିବା ଲୋକ ନୁହେଁ
ଦୁଃଖ କୁ ସେ ନିକଟୁ ଦେଖିଛି
ନିକଟୁ ଦେଖିଛି ବୋଲିତ ଅନ୍ୟର ଦୁଃଖ
ଦେଖିପାରେ ନାହଁ ସହିପାରେ ନାହଁ
ଯାହା ଥାଏ ଯାଚିଦିଏ ଅନାୟସରେ,
ନିଜର ଏକଲା ପଣକୁ ନେଇ ଚାଲିଛି ଅନେକ
ଝୁଂଟିଛି ବି ଅନେକ ଥର , ମାତ୍ର
ତଳେ ପଡିଯିବାର ଦେଖିନି ମୁଁ
କେବେ ବି ନୁହେଁ ।।
କର୍ମ ଧର୍ମ ନିଷ୍ପା ତ୍ୟାଗ ତିତିକ୍ଷାର
ମୂର୍ତ୍ତିମନ୍ତ ପ୍ରତୀକଟିଏ ମୋ ବୋଉ
କେତେବେଳେ ମହମହ ସୁରଭି ବାଣ୍ଟିଛି ତ
କେତେବେଳେ ଝରିଛି ନିଜେ ମହମ ଭଳି ଥପ୍ ଥପ୍
କେତେବେଳେ ହାତ ପାହାନ୍ତାରେ ଦେଖିଛି
ପୁନେଇଁ ର ଜହ୍ନ ତ
କେତେବେଳେ ବହଳିଆ ଅମାନ୍ଧକାର
କେତେବେଳେ ସାଇଁସାଇଁ ନୀରବତା ତ
ପୁଣି କେତେବେଳେ ପାର୍ବଣର କୋଳାହଳ,
ଏ ସବୁ ଭିତରେ ଆଗେଇ ଚାଲେ ସେ
ମହମହ ବାସୁଥାଏ ତା' ତେଲ ଲୁଣର ସଂସାର ।।
ମୋ ବୋଉ ରାଗ ହିଂସା କ'ଣ ଜାଣେନି
ପ୍ରଚୁର ଭଲପାଇବା ର ଜୁଆର
ଲହଡି ଭାଙ୍ଗୁଥାଏ ତା' ଦେହରେ
ତା' ମୁହଁ ଶୁଖିଯାଏ ତା' ପିଲାମାନଙ୍କ
ଶୁଖିଲା ମୁହଁ ରେ
ପିଲାମାନଙ୍କ ପେଟ ପୂରିଗଲେ
ପୂରିଯାଏ ତା' ପେଟ ବୋଧହୁଏ
ଧୂଳି ଟିକେ ବାଜିଗଲେ
ପୋଛି ଦିଏ ତା' ପଣତ କାନିରେ
ରାତି ରାତି ଉଜାଗର ରହେ
ତୁଳସୀ ମୂଳରେ ସଂଜ ଜାଳିଦିଏ
ଦୀପ ଭର୍ତ୍ତି ଖାଣ୍ଟି ଗୁଆଘୀଅ ରେ
ଅଜାଡି ଦିଏ କେତେ ମାନସିକ
ତା' ପିଲାଙ୍କ ଦେହର ତାତିରେ ।।
ମୁଁ ଗର୍ବ କରେ ,ଛାତି କୁଣ୍ଢେ ମୋଟ ହୋଇଯାଏ
ମୋ ବୋଉ ଅପାଠୋଇ ମଫସଲି ବୋଲି
ତା' ଭଳି ଦେବୀ ପ୍ରତିମା କୋଳରେ
ମୁଁ ଦୁନିଆ ଦେଖୁଛି ବୋଲି
ମୁଁ ଶବ୍ଦଟିଏ ଉଚ୍ଚାରିଛି
କବିତାଟିଏ ଗଢିଛି,ପକ୍ଷୀ ଭଳି ଉଡିଛି
କେବଳ ଖାସ୍ ତା'ରି ପାଇଁ ,
ଧନ୍ୟ ହୁଅନ୍ତି ଆହୁରି ନିଶ୍ଚୟ ମୁଁ
ଥରେ ନୁହେଁ ସାତ ଥର ଯଦି ଜନ୍ମ ନିଅନ୍ତି
ତା' ପୁଣ୍ୟ କୋଳରେ
ଛୁଉଁଥାନ୍ତି ତା' ସ୍ନେହ ପଣତକୁ ବାରମ୍ବାର
ଜନ୍ମ ରୁ ଜନ୍ମାନ୍ତର ଯାଏ ।।
-------------------
ଶରତ କୁମାର ଦାସ