ଅଭିମାନ
ଅଭିମାନ
ତୁମ ଅଗଣାର ତୁଳସୀ ହେବାକୁ
ସୁରଭି ମୋ ପାଖେ କାହୁଁ ପାଇବି !
ଶୋକାର୍ତ୍ତ ସଂଜରେ ସଂଜବତୀ ହୋଇ
ତିମିରେ ତୁମକୁ ସଂଖୋଳି ନେବି ।
ମିଞ୍ଜି ମିଞ୍ଜି ସିନା ଜଳୁଥାଏ ମୁହିଁ
ମୋ' ଜଳିବାରେ ଦୋଷ ନଥାଏ ।
ତଥାପି କାହିଁକି ଦୋଷ ଦିଅ ମୋତେ
ବଞ୍ଚିବା ଆଶା ମୋ' ମଉଳି ଯାଏ ।
ତୁମରି ରଥରେ ସାରଥି ହେବାକୁ
ମୋ'ପାଖେ ସେତିକି ଶକତି କାହିଁ !
ମୋ'ରୁଗୁଣା ରଥେ ସାରଥି ହେବ କି
ଆସିଛି ଏତକ ମାଗିବା ପାଇଁ ।
ସୁଖ ଖୋଜି ଖୋଜି ସାଇତି ରଖୁଛି
ତୁମ ଅଗଣାରେ ବିଂଛିବା ପାଇଁ ।
ତଥାପି କାହିଁକି ପର ବୋଲି ଭାବ
ମୋ' ଜାଣିବାରେ ଦୋଷ ମୋ' କାହିଁ?
ନିଜ ଦୁଃଖେ ତୁମେ ନିଜେ ଜର୍ଜରିତ
ମୋ'ଦୁଃଖକୁ ନେଇ ରଖିବ କାହିଁ ?
ମୋ'ସାଇତା ସୁଖ ଅଜାଡି ଦେଉଛି
ତୁମ ହସ,ତୁମ ସରାଗ ପାଇଁ ।
ସଖା ବୋଲି ଯେବେ କରୁନା ସ୍ୱୀକାର
ନ କର,ତିଳେ ମୋ'ଆପତ୍ତି ନାହିଁ ।
ମୋ'ଦିଆ ସୁଖକୁ ସ୍ଵୀକାର ନକଲେ
ଅଭିମାନ ଛଡ଼ା କିଛି ମୋ'ନାହିଁ ।