ଦୃଶ୍ୟପଟ
ଦୃଶ୍ୟପଟ
ପାହାଡ ଶୀର୍ଷରେ ତଳକୁ ଚାହିଁଲେ,
ଆଖି ଆଗେ ଭାସିଯାଏ ଯାତ୍ରାପଥର ଦୃଶ୍ୟ,
ବନ୍ଧୁର ଗିରି, ତୀଖ ଉଠାଣି, ସନ୍ତସନ୍ତିଆ ଓ ଓଦା ଗିରି ନାଳ
ପଥୁରିଆ ରାସ୍ତା ଧାର, ମସୃଣ, ଗଡାଣି
ଦୀର୍ଘ କ୍ଲେଶକର ରାସ୍ତା--------
ଯାହା ଓଦା ହୋଇଥାଏ ମୋର ଟୋପା ଟୋପା ସ୍ୱେଦ ବିନ୍ଦୁରେ
ଗିରି ଶୃଙ୍ଗରୁ ତଳକୁ ଚାହିଁଲେ
ଦୂରବୀକ୍ଷଣ ଆଖିରେ ଦେଖାଯାଏ
ଝଲମଲ ହଳଦୀ ରଙ୍ଗର ସୂର୍ଯ୍ୟାଲୋକରେ,
ସବୁଜ କ୍ଷେତରେ ବଳଦ ହଳ ଟାଣୁଥିବାର ଦୃଶ୍ୟ,
ବାଡି ଧରି ଆଗକୁ ଝୁଙ୍କି ପଡିଥିବା ଲୋକଟିଏ
ଧାଡି ଧାଡି ଛପର ଘର
ଖାଲି ପାଦରେ ଦୌଡୁଥିବା ପିଲାମାନେ
ହାଲିଆ ଖଚରର ଲାଞ୍ଜ ଟାଣି
କିମ୍ବା
ଚିରାଲୁଗା ପିନ୍ଧା ବୟସ୍କା ମହିଳାମାନଙ୍କ ସହ କୌତୁକରେ ଖେଳିଥାନ୍ତି,
ପ୍ରଖର ରୌଦ୍ର ତାପରେ ଦଗ୍ଧ
ସେମାନଙ୍କର କ୍ଲାନ୍ତ, ଶ୍ରଥ ଚମଡା
ଗିରି ଶିଖରରୁ ତଳକୁ ଚାହିଁଲେ ଦିଶେ
କିଛି ବିଗିଡି ଯାଇଥିବା ଗ୍ରାମ ଦୃଶ୍ୟ ପଟ
ଖାପଛଡା ଦଶ ମହଲା, ବହୁତଳ ଆପାର୍ଟମେଣ୍ଟ୍
କାଚ ଝରକା, ଉଚ୍ଚ କାନ୍ଥମାନ ଚିକ୍ ମିକ୍
କାର୍ ସବୁ ବାହାରୁଥାଏ ଗେଟ୍ ବାହାରକୁ
ଆବର୍ଜନା ବିହୀନ ପରିଷ୍କାର ସବୁଆଡେ
ଏପରିକି ଛୋଟ ପିଲା ଖେଳୁଥିବାର ଦୃଶ୍ୟ ନଥାଏ
ଏଥରକ ଶିଖରରୁ ଉର୍ଦ୍ଧ୍ୱକୁ ଚାହିଁଲେ
ଦିଶୁଥାଏ ଆଉ ଏକ ଶୃଙ୍ଗ
ଯାହା ଉଚ୍ଚତର, ବନ୍ଧୁରତର, ସବୁ ଦୃଷ୍ଟିରୁ କଷ୍ଟକର
ଦେଖୁଥାଏ ଆଗାମୀ ଯାତ୍ରାର ଦୃଶ୍ୟ
ଆଉ ଗୋଟେ ଶୃଙ୍ଗ ଆରୋହଣର l
କିନ୍ତୁ ସେଠି ଛିଡା ହୋଇଥିବା ମୁହୂର୍ତ୍ତରେ ମୋର ମନେ ହୁଏ,
ମୁଁ ଯେମିତି ଜାଣିଛି ମୋର ଭାଗ୍ୟ ଗୋଟିଏ ଶିଖର ନୁହେଁ,
କି ଭାଗ୍ୟ ଅନ୍ୱେଷଣ ବାସ୍ତବରେ କରିହୁଏ ନାହିଁ l
ସବୁ ଶୃଙ୍ଗର ଦୃଶ୍ୟପଟ୍ଟ ସମାନ
ଏବେ ବୋଧହୁଏ ଅବରୋହଣର ବେଳ ଆସିଗଲା
ପୁଣି ସେହି ଗିରୀ, ନଦୀ କୂଳରେ ବନ୍ଧୁର ରାସ୍ତା
ବୋଧହୁଏ ଦୃଶ୍ୟପଟ୍ଟର ସାମାନ୍ୟ ପରିବର୍ତ୍ତନ ଆବଶ୍ୟକ,
ଦୃଶ୍ୟପଟ୍ଟର ସମୟ ଏବେ ଅତୀତ l