ଆକାଶ ଦେହରେ ବିଷୁବ ଝୁଲୁଛି
ଆକାଶ ଦେହରେ ବିଷୁବ ଝୁଲୁଛି
ଏବେ ଆକାଶ ଦେହରେ
ବିଷୁବ ଝୁଲୁଛି
କ୍ରମେ କ୍ରମେ ଡେଣା ତା'ର
ସମଗ୍ର ସତ୍ତାକୁ ବ୍ଯାପିଛି ।
ସହରରୁ ଗାଁକୁ ସମାଜକୁ-
ବ୍ଯକ୍ତି ମୁହାଣକୁ
ବୃକ୍ଷରୁ ଲତାକୁ କୁଂଜକୁ
ସମୁଦାୟ ଜଂଗଲ ଆଡକୁ ,
ସ୍ପଷ୍ଟ ବାରି ହେଉଛି :
ସାରା ନଈ-ନାଳ
ବନ୍ଧ ପୋଖରୀ ମାଳ
ଖାଁ-ଖାଁ
ଛାତିଏ ତାତିରେ
ଭୋକିଲା ସମୁଦ୍ର ମୁହଁରୁ
ଫେଣ ବାହାରୁଛି ।।
ଏବେ ଠିକ୍ ଶୁଭୁଛି !
କିଏ କେଉଁଠି ଅଛ
ଧାଇଁ ଆସ ଧାଇଁ ଆସ
ବୁଢା ଡଙ୍ଗର ଦେହରୁ
ହୁତୁ ହୁତୁ ନିଆଁ ବାହାରୁଛି
ଚାରିଆଡ କରୁଣ କରୁଣ
ବନ୍ଧ୍ଯା ପୃଥ୍ବୀ ମାଟି ଉଖାଳୁଛି ।।
କେହି କାହାକୁ ବାନ୍ଧିଛି ଏ-ସମୟେ
ଝାଳ -ନାଳ ଛାତିର ଭିତରେ
ହାକୁଟି ମାରି ମାରି
କିଏ ବ୍ଯସ୍ତ ବିବ୍ରତ
ନିଷ୍ପାପ ଜୀବନ ସାରା
ଆଉ କିଏ ବାହୁନି ବାହୁନି
ଛଡାଉଛି ରଂଗ
ନିଜ ଦେହସାରା ।।
ଏବେ ଚାରିଆଡ ଖରା ଆଉ ଖରା
ରାସ୍ତାସାରା - ଆଁ
ଆଁ ଭିତରେ ସବୁଯେତେ
ଭୂଗୋଳ ପୋଥିର ଗାଁ ।
କିଏ କେଉଁଠି ରଡି ଛାଡୁଛି
ଭୋକ-ଭୋକ-ଭୋକ
ଆଉ କିଏ
ମରୀଚିକାରେ ମେଣ୍ଟାଉଛି
ଶୋଷ- ଶୋଷ ଆଉ ଶୋଷ ।।
ସାରା-ଗାଁ ସାରା-ସହର ନିସ୍ତବ୍ଧ
କେବଳ ତଣ୍ଟିରୁ ଖସୁଛି ଖାଲି
ମଲା-ମଲା-ମଲା
ରାମ- ନାମ୍- ସତ୍ଯହେ ଧୂନ୍ ରେ
କିଏ ଇହଧାମ ଗଲା
ରାତି ପାହିଲା ବେଳକୁ
ଖବର କାଗଜ ପୃଷ୍ଠାରେ ଅଂଶୁଘାତ
ମୁଖ୍ୟ ପ୍ରସଙ୍ଗହିଁ ଥିଲା
ଯେଉଁଠି ଡାକବାଜି ଯନ୍ତ୍ରର
ସତର୍କ ଘଣ୍ଟି ମତେ ଶୁଭୁଥିଲା ।।
ଡଃ ଶିବ ପ୍ରସାଦ ତ୍ରିପାଠୀ
ସ୍ମୃତିନିଳୟ , ଉଦୟ ନଗର
ଷ୍ଟେସନ ରୋଡ,ବଲାଙ୍ଗୀର (ଓଡିଶା)