କବିତାର ଆରପାଖ - 20
କବିତାର ଆରପାଖ - 20
ଗୋଟିଏ ତାଳିରେ ଡରିଯାଉଥିବା ଦୁଶ୍ଚିନ୍ତା
ଆଜି ଗୋଠେ ହୋଈ ଫେରିଆସୁଛି
ପ୍ରତିଧ୍ବନିରେ,
ବାହୁଙ୍ଗିରେ କାନ୍ଧେଇ ଆସୁଛି କିଏ
ନଈବନ୍ଧ ମଶାଣି ପାଖର
ସେ କାଶତଣ୍ଡି ଚହଟ ଶୂନ୍ୟତା।
କେବେ ପାରେଇଯିବ
ଏ ରାତିର ବିନିଦ୍ର କବିତା!
କେତେବଡ ବିଡମ୍ବନା
କବି ଟିକିଏ ଉଶ୍ବାସ ପାଇଁ
କରେ କବିତା ରଚନା।
କବିତା ହାତ ବଦଳାଏ
ସ୍ୟାହି ବଦଳାଏ
ଗାର ସେପାଖୁ ହାତ ବଢାଏ
ଜଟାୟୁମାନଙ୍କ ରକ୍ତରେ
କୋହ ଲାଲ୍ ହେଉଥାଏ।
ପ୍ରତାରଣାର ମୃତ ଶରୀରରୁ
ବି ହାରିବାର ସ୍ବର ଶୁଭୁଥାଏ।
ଯାହା ଜରାୟୁରେ
କବିତାର ଭୃଣଅଛି
ସେ କେମିତି ପାଶୋରି ପକାଏ
ଶବ୍ଦର ବଳାତ୍କାର,
ଗଲାକାଲି ରାତିରେ
ଛାଇନିଦରେ ମୁଁ ଥିଲି ପ୍ରଥମ ଶୀକାର।
ହାୟ ମୋ ନିରିମାଖୀ ବିବଶତା
ହାୟ, ହାୟ,
ହାୟ ମୋର ଜାରଜ ପ୍ରସବ
ହାୟ ମୋର ଅବାଂଛିତ
ବିବର୍ଣ୍ଣ କବିତା।
ଅନୀଲ କୁମାର ପାଢୀ