ଭାରି ଭଲ ଲାଗେ ମାଆର ପଣତ
ଭାରି ଭଲ ଲାଗେ ମାଆର ପଣତ
ଭାରି ଭଲ ଲାଗେ ମାଆର ପଣତ
ସେନେହ ମମତା ଡୋରୀ,
ଭାରି ଭଲ ଲାଗେ ସୂରୁଜଟା ଯେବେ
ସିନ୍ଦୁରା ଉଠଇ ଚିରି ll
ଭାରି ଭଲ ଲାଗେ ରୂପେଲି ଜହ୍ନଟା
ପୁନେଇଁ ଆକାଶେ ଥିଲେ,
ଭାରି ଭଲ ଲାଗେ ପଡିଆ ବୁକୁରେ
କୁନି ପିଲା ଖେଳୁଥିଲେ ll
ଭାରି ଭଲ ଲାଗେ କ୍ଷେତରୁ ଚଷାଟା
ଆଣେ ଯେବେ ଶସ୍ୟ ବୋହି,
ଭାରି ଭଲ ଲାଗେ ନାଉରୀଆ ଯେବେ
ନାଆ ନେଉଥାଏ ବାହି ll
ଭାରି ଭଲ ଲାଗେ ଅବିର ଖେଳରେ
ପିଲାମାନେ ମାତିଗଲେ,
ଭାରି ଭଲ ଲାଗେ ପେନ୍ଥି -ପେନ୍ଥି ଫୁଲ
ଗଛ ଡାଳେ ଝୁଲିଥିଲେ ll
ଭାରି ଭଲ ଲାଗେ ଶୁଭୁଥିଲେ ଘଣ୍ଟା
ବେଦପାଠ ମନ୍ଦିରରେ,
ଭାରି ଭଲ ଲାଗେ ଜାହାଜଟା ଯେବେ
ଲାଗିଥାଏ ବନ୍ଦରରେ ll
ଭାରି ଭଲ ଲାଗେ ନିରିମଳ ଜଳେ
ଫୁଟିଥିଲେ କଇଁଫୁଲ,
ଭାରି ଭଲ ଲାଗେ ମୋ ଦେଶ ଯବାନ
ଶୁଝେ ଯେବେ ଦେଶ ମୂଲ ll
ସବୁ ଭଲ ପାଇଁ ଭଲ ମନଟିଏ
ଲୋଡ଼ା ଆମ ପାଇଁ ସଦା,
ଖରାପକୁ ତେଜି ଜଗତରେ ସଦା
ଭଲରେ ହୋଇବା ବନ୍ଧା ll