ଝରଣା
ଝରଣା
ତୁମେ ତ ଦେଖିଛ ଝରଣାର ଜଳ
ଝରିଥାଏ କଳ କଳ
ତୁମେ ତ ଭାବିଛ ଝରଣାର କୂଳ
ପ୍ରକୃତି ରାଣୀର ମେଳ
ସମସ୍ତେ କହନ୍ତି କେଉଁଠି ଝରୁଛି
କେବେଠୁଁ ପଡୁଛି
ମାନି ନ ମାନି ବେଳ ଅବେଳ ।
ମୁଁ ଗଲି ପିକନିକ କଲି ବନ୍ଧୁମିଳନ ଆସର ବସେଇଲି
ଦେବକୁଣ୍ଡରୁ ସାନଘାଗରା –ବଡଘାଗରା ବୁଲିଲି
କାହିଁ ପ୍ରକୃତିର ମେଳ
ବରଂ ଝିଅ ପୁଅର ପ୍ରେମ ଖେଳ
କାହିଁ କଳ କଳ ଝରଣାର ଜଳ
ବରଂ ସାଳପତ୍ର-ପ୍ଲାଷ୍ଟିକ ଦୋନା ଦଳ ଦଳ
କାହିଁ ସତ୍ୟ ଶିବ ସୁନ୍ଦରର ପରିଭାଷା
ବରଂ କ୍ୟାମେରା-ଫୋଟୋ-ସେଲଫିର ତମାଶା
କାହିଁ ପିକନିକର ମଜା-ଉଲ୍ଲାସ ଓ ହସ
ବରଂ ପେଜୁଆ ଭାତକୁ ଅଲଣା ଚିକେନର ବାସ
ଆଳିଆରେ ଭରା ଆବର୍ଜନାରେ ମରା
ଝରଣାର ଗର୍ଭସ୍ଥଳ
ପ୍ରକୃତି ରାଣୀ କାନ୍ଦେ କଇଁ କଇଁ
ଅକୁହା କାହାଣୀ ମାଳ
ଶୁଭେନା ଆମକୁ ତା’ର
ଦୁଃଖ-ଶୋକର କରୁଣ ବିଳାପ
ହସ କୌତକରେ ଆମେ
ଲୁଟିନେଉ ତା’ର ଶୋଭା-ସମ୍ପଦ-ସଂଳାପ ।
କେତେ ଦିନ କେତେ ମାସ କେତେ ବର୍ଷ
କାଲ-ଅନ୍ଧ-ଅବିବେକୀର ଖୋଳପା ଭିତରେ ଶ୍ରେଷ୍ଠ ସୃଷ୍ଟି
କରୁଥିବ ପ୍ରକୃତି ମା’ର ବିନାଶ ସର୍ବନାଶ ।
ଆଶା ମୋର
ସହସା ଆସିବ ବିବେକ ଡାକରା
କାନରେ-ଆଖିରେ-ମନରେ ଆଣିଦେବ ଅଫୁରନ୍ତ ସାହାରା
ଝରଣାର କୂଳ ପୁଣି ହେବ କଳ କଳ
ପ୍ରକୃତି ଖେଳିବ ଯହିଁ ହୋଇ ଛଳ ଛଳ ।