ସୁଖ ସନ୍ଧାନ
ସୁଖ ସନ୍ଧାନ
ସୁଖ ସନ୍ଧାନ
ବନ୍ଧୁ,
ସେଦିନ ନେଇଥିଲ ମୋତେ
ଦେଖାଇବାକୁ ତୁମ ମର୍ମର ପ୍ରାସାଦ,
ନବ ନିର୍ମିତ,
ଛୋଟ ଏକ ପାହାଡ଼ ଉପରେ
ସତେ ଅବା ତୁଷାରାଚ୍ଛାଦିତ ।
ନୀଳାଭ ଆକାଶରେ ବୁକେ
ଲାଗୁଥିଲା ମୋତେ ଅବା ଆଉ ଏକ
ଶାରଦୀୟ ପୂର୍ଣ୍ଣଚନ୍ଦ୍ର ।
ଦେଖିସାରି ତୁମର ସେ ପ୍ରାଚୁର୍ଯ୍ୟ ବିଳାସ
ପଚାରିଥିଲି, ବନ୍ଧୁ, ହେଲା କି ପୂର୍ଣ୍ଣ ତୁମ ସବୁ ଅଭିଳାଷ ।
ତୁମ ‘ହଁ’ରେ ଥିଲା ନାହିଁର ଆଭାଷ
ଲୁକ୍କାୟିତ ହୃଦୟ ବେଦନା,
ଗଭୀର ସମୁଦ୍ର ମଧ୍ୟେ ଜମାଟ ବନ୍ଧା
ବିରାଟ ପାହାଡ଼ ଆତ୍ମ ପ୍ରବଞ୍ଚନାର ।
ବନ୍ଧୁ, ସୁଦାମା ମୁଁ,
ଏକ ଜଳକଣା ମୁଁ,
ମୋତେ ଯେତେ ଭାଙ୍ଗିଲେ ବି ସେହି ଜଳକଣା ମୁଁ,
ଅଧିକରେ ନାହିଁ ଆଶା,
ନପାଇଲେ ନାହିଁ ବି ନିରାଶା ।
କିନ୍ତୁ ବନ୍ଧୁ,
ତୁମେ ତ ସାଗର, ବେଳାଭୂମିରେ ଖାଲି
ମଥାପିଟି କାନ୍ଦୁଥାଅ
ଅନେକ ଊର୍ମି ନିରାଶାର ।
ଆସ ବନ୍ଧୁ ଥରେ ହେଲେ ହୋଇଯାଅ
ମୋଭଳି କ୍ଷୁଦ୍ର ଜଳକଣା,
ହାଲୁକା ହୋଇ ଭାସିଭାସି
ଆମେ ଦୁହେଁ
ବୁଲିଯିବା ନଗରୁ ନଗରେ,
କାନନୁ କାନନେ,
ନଥିବ କୌଣସି ଦୁଃଖ,
ଆତ୍ମ ପ୍ରବଞ୍ଚନା ଅଥବା ହତାଶା ।
ଡା ସୁବାସ ଚନ୍ଦ୍ର ରାଉତ
ଫୋନ - ୭୯୭୮୦୫୯୮୫୧