ବିବଶ ଗରିଲା
ବିବଶ ଗରିଲା
ପୃଥୁଳ ଦେହୀ ଗରିଲା କେହି
ବିକଟ ରୂପ ଯା'ର
ବିଦ୍ରୁପେ ହସି ପାରିଛ ବସି
ନିକଟ ହୋଇ ତା'ର ।
କମ୍ପାଇ କାହିଁ ସେ ହସୁନାହିଁ
ଜାଣେନି କିବା କିଛି
ପିଟି ସେ ଛାତି ଖୋଜନ୍ତା ସାଥୀ
ଜଙ୍ଗଲି ସୁଖ ଇଚ୍ଛି ।
ସନ୍ଧାନ କରି ରଖନ୍ତେ ଧରି
ପିଞ୍ଜରା ମଧ୍ୟେ ପୁଣି
ଆର୍ତ୍ତେ କମ୍ପନ କରେ ଲମ୍ଫନ
ଲୌହରେ ଶିର ଝୁଣି ।
ବିଟପୀ ମୂଳେ ଥାଇ ସ୍ବକୁଳେ
ସହଜ ଗୁଣ ଧରି
ଅଟବି ରାଜ୍ୟେ ସ୍ବଧର୍ମ କାର୍ଯ୍ୟେ
ରହନ୍ତା ସୁଖ ଭରି ।
ବନ କନ୍ଦରେ ବିନା ଦ୍ବନ୍ଦ୍ବରେ
କରି ସେ ଅବରୋଧ
ବିଚିତ୍ରା ଦେହୀ ସାଥୀକୁ ଲେହି
କରନ୍ତା ମନବୋଧ ।
କି ଯୁଥଭ୍ରଷ୍ଟେ ନିର୍ବଳ ଶିଷ୍ଟେ
ନଖରେ ଖେଳି ହୋରି
ଶ୍ବାପଦ ହିଂସ୍ର ଦନ୍ତେ ଅଜସ୍ର
ଛିଣ୍ଡାନ୍ତା ଅନ୍ତ ଡୋରି ।
ସତେ ନିହାଳ ମନୁଷ୍ୟ ଦଳ
ପର୍ବତ ଗୁହା ତଳେ
ଜାଲର ଛନ୍ଦେ ମନ ଆନନ୍ଦେ
ଆବଦ୍ଧ କଲେ ବଳେ ।
ହସନ୍ତି କ୍ରୁର ଅଥର୍ବ ନର
ବର୍ବର କ୍ଳୀବ ତାଳେ
ସଂସ୍କାର ଶୀର୍ଣ୍ଣ ହୃଦୟ ଦୀର୍ଣ୍ଣ
ରଖନ୍ତି ପ୍ରାଣୀଶାଳେ ।