ମର୍ତ୍ତ୍ୟ ଭ୍ରମଣ
ମର୍ତ୍ତ୍ୟ ଭ୍ରମଣ
ଷଡ ଋତୁର ଚକ୍ର ଭିତରେ,
କ୍ଷୁଦ୍ର କୀଟ ବଢଇ ହୁଙ୍କାରେ ।
କ୍ଷୀଣ ଜୀବନ ଉଇର
ପାତାଳ ପୁରୀ ତା' ବସା,
କୀଟର ମନ୍ଥର ଗତି
ମାଟି ବୋହିବା ତା' ପେଶା ।
କଲେଇ (ଝଡି ପୋକ) ରାଣୀକୁ ଘାରିଛି ନିଶା,
ମର୍ତ୍ତ୍ଯ ଭ୍ରମଣେ ରଖିଛି ଭରସା ।
ସୁଧା ପଞ୍ଚାମୃତ ସାଇତିଛି,
ନିତ୍ଯ ପାନ ସେହି କରୁଅଛି ।
ନଭେ ଖେଳଇ ବଉଦ
ଆସଇ ଯେବେ ବରଷା,
ଉଲ୍ଲସିତ ହୋଇ ଉଠେ
ଶୁଭ ପ୍ରଦାୟନୀ ରସା ।
କଲେଇ (ଝଡି ପୋକ) ରାଣୀକୁ ଘାରିଛି ନିଶା,
ମର୍ତ୍ତ୍ଯ ଭ୍ରମଣେ ରଖିଛି ଭରସା ।
ମନକୁ ଫୂର୍ତ୍ତୀ - ଦେହକୁ ଶୀତଳ,
ସୃଷ୍ଟି ଦର୍ଶନେ ଚଳେ ଚଞ୍ଚଳ ।
ଦେଖାଦିଏ ବିକର୍ତ୍ତନ
ଥମେ ଯେବେ ବରଷା,
ମର୍ତ୍ତ୍ଯର ଶୋଭା ଦର୍ଶନେ
ଉଡିବାକୁ ହୁଏ ଏଷା ।
କଲେଇ (ଝଡି ପୋକ) ରାଣୀକୁ ଘାରିଛି ନିଶା,
ମର୍ତ୍ତ୍ଯ ଭ୍ରମଣେ ରଖିଛି ଭରସା ।
ଚତୁର୍ଦ୍ଦିଗ ସେ କଲା ଭ୍ରମଣ,
ସର୍ବ ଜୀବ ତା'କୁ କଲେ ଭକ୍ଷଣ ।
ଭାବନା ତା' ରହିଗଲା
ରହିଗଲା ତା'ର ଆଶା,
କ୍ଷୁଦ୍ର ଜୀବ ଖାଦ୍ୟ ହେଲା
କ୍ଷଣେ ଘୋଟି ଆସେ ବର୍ଷା ।
କଲେଇ (ଝଡି ପୋକ) ରାଣୀକୁ ଘାରିଛି ନିଶା,
ମର୍ତ୍ତ୍ଯ ଭ୍ରମଣେ ରଖିଛି ଭରସା ।
କହୁ ଏ ଜଗତ କ'ଣ କଲା,
ସୃଷ୍ଟିରେ ତା'ର କି ଦୋଷ ଥିଲା ?
କି ବେଭାର ଆମେ କଲେ
ପ୍ରାଣୀ ବଧ ହେଲା ନିଶା,
ମୃତ୍ୟୁ ଜାଲେ ଆଗନ୍ତୁକକୁ
ପକାଇ ଦେଲେ ସହସା ।
କଲେଇ (ଝଡି ପୋକ) ରାଣୀକୁ ଘାରିଛି ନିଶା,
ମର୍ତ୍ତ୍ଯ ଭ୍ରମଣେ ରଖିଛି ଭରସା ।
ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)
କବି କୁଟୀର
ଦଣ୍ଡାସିଂହା,ବାରକୋଟ
ଦେବଗଡ (ଓଡିଶା)
ପିନ୍- ୭୬୮୧୦୮
ମୋ-୯୬୬୮୨୪୨୭୨୦