ରଜନୀର କୋହ
ରଜନୀର କୋହ
ବିଭାବରୀ ବିଧୌତ ଜ୍ୟୋତ୍ସ୍ନାରେ
କଦମ୍ବର ଶିହରଣ ଦେହରେ
ରୋମାଞ୍ଚିତ ଦୃଦୟ
ମନେ ଉଠେ ସଂଶୟ
କି’ଏ ଛୁଇଁଲା କି ?
ରୁପେଲି ଲେପରେ ମୁଁହ ଦିଶୁଛି
ନୂଆବୋହୂ ପରି ମହ ମହ ବାସୁଛି
ତାରା ଭରା ଅଗଣା
ତାରକଶିର ଓଢଣା
କି’ଏ ସେ ଛମ ଛମ ?
ଘର ପଡିଆ ସବୁ ଶୋଇଲେଣି
ରାତ୍ରିଚରଗଣ ଉଡିଗଲେଣି
ଏକା ଏକା ବସି
ଶାରଦୀୟ ଶଶୀ
ଖେଳେ ଲୁଚକାଳି ବଉଦ ସହିତ ମିଶି
ତୁମେ ଖେଳିବ କି ?
ବେଳ ହେଲାଣି ତର ତର
ନାକ ଡାକୁଛି ରଜନୀର
ଶ୍ଵାନ –ଶ୍ଵାପଦର ହେଣ୍ଟାଳ
ବେଳକୁ ବେଳ ଅସମ୍ଭାଳ
ନିଦ ଭାଙ୍ଗିଲା କି ?
ପ୍ରିୟତମ ପଥ ଚାହିଁ ଚାହିଁ
ନିଶୀଥ ନୟନ କଇଁ କଇଁ
ଘାସ ଫୁଲରେ ବିନ୍ଦୁ ହୋଇ
କାକର ଲୁହ ଚମକଇ
କେବେ ଭାବିଛ କି ?
ବିରହୀ ନାୟିକା ବିଭାବରୀ
କାମାତୁରା ସେ ଶାକମ୍ବରୀ
ଜହ୍ନ କୁହ କି ଆକାଶ
ଜ୍ୟୋତ୍ସ୍ନା ହେଉ ବା ପ୍ରକାଶ
ତାରା ହେଉ ବା ଅନ୍ଧାର
ସବୁ କେବଳ ଯାଯାବର
ଚିନ୍ତା ଘାରିଛି କି ?
ମନ-ମନ୍ଦୀରେ ହୃଦୟ-କନ୍ଦରେ
କେବେ କେହି ନିରେଖି ନୋହିଲେ
ଅଭିଶପ୍ତା ଅହଲ୍ୟା ସମ
ଆସିବେ କେବେ ତା ଶ୍ରୀରାମ
କେତେ କାଳର ତପସ୍ୟା
କେତେ ଜନ୍ମର ସାଧନା
କେବେ ଶାପ ମୁକ୍ତା ହେବ ବିଭାବରୀ
ରଜନୀ ରାଣୀର କେବେ ମଣ୍ଡିବ କବରୀ
ଜାଣିଛ କି ?
କହିବ କି ???