ଚନ୍ଦ୍ରମା ଲୋ,କିଛି ତ ଦେଇଯା
ଚନ୍ଦ୍ରମା ଲୋ,କିଛି ତ ଦେଇଯା
1 min
3.4K
ଚଦ୍ରମା କୁ ଗ୍ରହଣ ଗ୍ରାସିଲେ
ଚନ୍ଦ୍ର ସିନା ଲୁଚିଯାଏ
କିଛି କ୍ଷଣ ପାଇଁ,
ହଜେ ନାହିଁ କେବେ ସିଏ,
ପ୍ରିୟ ତା'ର ମଣିଷ ପାଖରୁ ।
ପ୍ରିୟଜନ ଦୂରେ ଚାଲିଗଲେ
ଦେହ ସିନା ଯାଏ ଚାଲି
ଅଭିମାନ କରି,
ମନ ତା'ର ରହିଥାଏ
ଖୋଜୁଥାଏ ଅନ୍ତର ଭିତରୁ ।
ଆକାଶଟା ଢାଙ୍କି ହୋଇଗଲେ
କଳା ମେଘ ଓଢଣୀରେ
ଭିଜା ଭିଜା ହୋଇ,
ତା'ନୀଳିମା ଲିଭେନାହିଁ
ରହିଥାଏ ସତ୍ୟବତୀ ପରି ।
ତୁଳସୀକୁ ଅରଣ୍ୟେ ରୋପିଲେ
ନିର୍ମୂଳୀ ଲତାର ସାଥେ
ମହକି ମହକି,
ପବିତ୍ରତା ଯାଏନାହିଁ
ରୁହେ ସେଇ ଠାକୁରଙ୍କୁ ଧରି ।
ସାଗରରେ ଜୁଆର ଭାଙ୍ଗିଲେ
ବେଳା ବାଲି ଖାଏ ସିନା,
ବେଳାକୁ ସଜାଡେ
ସ୍ନେହ ପ୍ରୀତି ମମତାରେ ଭରି ।
ସମ୍ପର୍କ ସଉଧ ଦୃଢ ଥିଲେ
କିଛି କ୍ଷଣ ଥମି ଯାଏ
ପୁଣି ଫେରି ଆସେ
ନିଜ ନୀଡେ ନୂଆ ସ୍ବପ୍ନ ଧରି ।
ହେ ଚନ୍ଦ୍ରମା !କାହିଁକି ନୀରବ?
ସ୍ନିଗ୍ଧ ତୁମେ,ସ୍ମିତ ତୁମେ,
ତୁମେ ନିର୍ବିକାର
ରହୁ ପଛେ ମୁଠାଏ କଳଙ୍କ !
କଳଙ୍କ କୁ ଜାବୁଡି ଜାବୁଡି
ଅଭିଶପ୍ତ ଚିନ୍ତ ନାହିଁ
ବାହୁନି ବାହୁନି
ନିଅ ନାହିଁ ପ୍ରତିଶୋଧ ତାଙ୍କ ।
ଚନ୍ଦ୍ରମା ଲୋ !କିଛି ତ ଦେଇଯା
କଳଙ୍କ ଦେ'ନା ପଛେ
ଗୁମୁରି ଗୁମୁରି
ତୋ'ଗାରିମା,ତୋ'ଗୁଣ ଗାଇବି ।
ତୋ' ଗୁଣରେ ନିଜକୁ ହଜେଇ
ସ୍ନେହ ପଣେ,ପ୍ରୀତି ପଣେ
ମନରେ,ମନରେ
ସକଳଙ୍କୁ ଆଦର କରିବି ।
ମୁଠାଏ କଳଙ୍କ ମିଳୁ ପଛେ
ଉଦାର ଉଦାର ହୋଇ
କଳଙ୍କକୁ ପିଇ
ଜୋଛନାରେ ଜଗତ ମଣ୍ଡିବି ।
ତୋ'ପରି ମୁଁ ହୋଇ ପାରିବିନି
ତୋ'ର ସେଇ ଶୁଭ୍ରତାରେ
ଧଉଳି ସାଜି ମୁଁ
ହିଂସାହୀନ ଜଗତ ଖୋଜିବି ।