ମିତା ପାଇଁ କବିତା
ମିତା ପାଇଁ କବିତା
ଶବ୍ଦର ଯନ୍ତ୍ରଣାରୁ ଯେଉଁଠି ମୋ ମୋହମୁକ୍ତି ଘଟେ
ସେଇଠି କାହିଁକି ମିତା ! ସବୁଥର ତୁମକୁ ମୁଁ ଭେଟେ
କବିତାକୁ ଯେତେ ଦିଏ ଶବ୍ଦରେ ମୁଁ ଚରମ ଚୁମ୍ବନ
ତମେ ଦିଶ ତୃପ୍ତି ପରେ ନୂଆ ଏକ ଅତୃପ୍ତ ଆହ୍ବାନ ।
କବିତାର ଶେଷରେ ବି ଆଉ ଏକ ଆରମ୍ଭ ହିଁ ଥାଏ
ତୁମକୁ ଦେଖିଲେ ମିତା ! ଏଇକଥା ବୁଝାପଡିଯାଏ
ତେଣୁ ତ ଗୋଟିଏ ପରେ ଗୋଟିଏ ମୁଁ କବିତାରେ ଅଛି
ଶବ୍ଦର ଗରଳ ପିଇ ନିଃଶବ୍ଦର ଜୀବନ ଜୀଉଁଛି ।
ଶବ୍ଦର ସମୁଦ୍ର ଭେଦି ଯେତେଥର ମୁଣ୍ଡ ମୁଁ ଟେକିଛି
ନିଃଶ୍ବାସ ମାରିବା ଆଗୁ ପୁଣି ସେଇ ସମୁଦ୍ରେ ଡୁବିଛି
ଡୁବିଲେ ମରଣ ନୁହେଁ,ନିଃଶ୍ବାସରେ ନାହିଁ ବି ଜୀବନ
ଜୀଇବା ମରିବା ଖାଲି ମିତା..ମିତା..ମିଠା ସମ୍ମୋହନ ।
ମନେ ଅଛି ତମେ ଦିନେ ଦେଇଥିଲ ଆଞ୍ଜୁଳାଏ ମଲ୍ଲୀ
ସେ ମହକ ଶୁଝୁଥିବି ଯନ୍ତ୍ରଣାରେ ଯୁଗଯୁଗ ଧରି !