ଜଣାଣ
ଜଣାଣ
ସୁଖ ଦୁଃଖ ମିଶା ପାପ ପୁଣ୍ୟେ ଭରା ପୂର୍ଣ ଏ ଭବ ସାଗର
ଜଗତ ଜନନୀ ହେ କଲ୍ୟାଣମୟୀ ମା ଗୋ ତୁମେ ପାରିକର ।
ତୁମ ବିନା ଆନ ନାହିଁ କେ ମୋହର ତୁମେ ସକଳ ଜୀବନ
ଅନ୍ଧର ଲଉଡ଼ି ଜୀବ ଦୁଃଖ ହାରୀ ମୋ ଜୀବନ ଗଣ୍ଠିଧନ ।।
ତୁମେ ଭିଆଇଛ ସକଳ ବ୍ରହ୍ମାଣ୍ଡ ମୀନଠୁ ନର ପୃଥ୍ଵୀରେ
ବୃକ୍ଷଲତା ଜୀବଜନ୍ତୁ ଠାରୁ କୀଟ ଶୈବାଳ ଏହି ସୃଷ୍ଟିରେ ।।
କୁସୁମେ ଦେଇଛ କେତେ ମିଠା ବାସ ରଂଗ ଯେ ତା ମନୋହରେ
ମଧୁ କର ଚୁମି ସାଉଁଟେ ଯେ ମଧୁ ଅନ୍ୟ ପାଇଁ ଜଗତରେ ।।
ତୁମ୍ଭ ହସ୍ତେ ଗଢ଼ା ସକଳ ଜଗତ ତୁମେ ଯେ ପରମମୟୀ
ତୁମ ବିନା ମୁ ଯେ ଅସ୍ତିତ୍ବ ବିହୀନ କ୍ଷୁଦ୍ର ମୋ ଜୀବନ ଏହି ।।
ସକଳ ଶୋକର ଅମୋଘ ଔଷଧ ଅଟ ହେ କରୁଣାମୟୀ
ସକଳ ଶକତି ଧାରୀ ଏ ବିଶ୍ୱରେ ତୁମେ ଗୋ ମମତାମୟୀ
ହେ ପରମ ପ୍ରେମ ଘେନ ମୋ ପ୍ରଣାମ ତବ ପଦ କମଳରେ
କୁସୁମିତ କର ମୋ ଜୀବନ ପଥ ହଟାଇ ତମସା ଦୂରେ ।।