ପ୍ରକୃତିର ଜୀବନ
ପ୍ରକୃତିର ଜୀବନ
ପ୍ରକୃତି କୋଳରେ ସନ୍ତୁଳନ ଯେଣୁ ନାହିଁ
ନିଜ ହାତେ ଜାଣି ଛେଦିଛୁ ଆମର ପାଦ,
ଭାଗ୍ୟଦୋଷ କହି ତ୍ରାହି କି ପାଇବୁ କାହିଁ
ବିପର୍ଯ୍ୟୟ ବଳେ ଘାରେ ସିନା ଅବସାଦ ।
କିଏ ସେ ରୋଦଇ ଦୂର ଦିଗନ୍ତର ତଳେ
ଆକୁଳତା ଭରା ଭାବନାରେ କିବା ମଜ୍ଜି,
ପ୍ରବୋଧିବା ଆସ ପରାଣ ଆବେଗ ବଳେ
ସପନ ଆମର କେବେଠୁ ଯାଇଛି ହଜି ।
ଖୋଜିଲେ ଅତୀତ ମିଳିବ କି ଏହିକାଳେ
ସ୍ବପ୍ନ ନୁହେଁ ସେତ ଅନ୍ତରେ ଫୁଟିଲା ଫୁଲ,
ବାସୁଥିଲା ତାର ଜୀଅନ୍ତା ଶାଗୁଆ ଡାଳେ
ଦିଶେ ଏବେ ଦେଖ ଭୀଷଣ ଅନଳ ଝୁଲ ।
କିଏ ସେ ଲୋଲୁପ ବଳାଇଛି ସ୍ବାର୍ଥକାମ
କେଉଁ ପିଶାଚିନୀ ହାତରେ ପଡିଲା ଝରି,
ଗଳାଇ ଲୋତକ ନିରୀହ ନେତ୍ରରୁ ଆମ
ତାର ଅନ୍ବେଷଣେ ଆୟୁଷ ବି ଗଲା ସରି ।
ସାକାର ସପନ ପାଇଁ ଭାବନାରେ ଭାରି
ତାଡନା ଯାତନା ଶୋଷଣରେ ମର୍ମାହତ,
ହୋଇ କରିଥିଲୁ ଅଲଙ୍ଘ୍ୟ ପ୍ରାଚୀର ପାରି
ଯତନେ ଯାହାର ହେଲୁ ଏବେ ପରାହତ ।
ଅନ୍ତରୀକ୍ଷେ ଦେଖ ଆହ୍ବାନ ଆସଇ ପୂରି
ଫାଟେ କି ଅନ୍ତର ସୁଦୂର ମେଦିନୀ ତଳୁ ,
ଜାଗେ କି ଚେତନା ଅନିଳ ବଳୟେ ଘୂରି
ପ୍ରବଞ୍ଚକ ଯେତେ ପରମାର୍ଥ କଲେ ଚଳୁ ।
ମାନବତା ହିତେ ଆସରେ ସନ୍ତାନ ବୀର
ଅଧୋଗତି ବାରି ଓଗାଳି ରଖ ହେ ପଥ,
ଦୁଃଖରେ ମେଦିନୀ ହୃଦୟୁ ବୁହାଏ ନୀର
ସବୁଜିମା ବଳେ ଫେରାଅ ଜୀବନ ପଥ ।