ବେସୁରା ଗୀତି-୭୩୨
ବେସୁରା ଗୀତି-୭୩୨
ବରଷା ତୁ ଆଜି କାହିଁକି କେଜାଣି
ଏମିତି ବରଷି ଗଲୁ
ମାନିଲୁନି କିଛି ବାଧା ଓ ବନ୍ଧନ
ସଭିଙ୍କୁ ତିନ୍ତାଇ ଦେଲୁ ॥
ଭିଜିଗଲେ ସବୁ ଅତୃପ୍ତ ପରାଣ
ଶୀତଳ ହୋଇଲା ମନ
ମୁଁ କିନ୍ତୁ ଭିଜିନି ଛୁଇଁ ନାହିଁ ତୋତେ
ଖାଇଛି ପରା ମୁଁ ରାଣ ॥
ତୋ କୋପରେ ଏବେ ନଈ ବଢି ଯିବ
ବନ୍ୟା ଜଳ ଯିବ ବୋହି
ଦୁଃଖ ର ଘରଟେ ନଈ କୂଳେ ମୋର
ତାକୁ ଭାଙ୍ଗି ଦେବୁ ନାହିଁ ॥
ଦୁଃଖ ପରା ଆଜି ସାଥି ଟିଏ ମୋର
ରହିଛି ମୋ ପଖେ ପାଖେ
ତୋ କୋପ ଦୃଷ୍ଟିରେ ଚାହିଁବୁନି ତାକୁ
ଭାଙ୍ଗିବୁନି ତୋର ହାତେ ॥
ସୁଖ ଟିକେ ମୋତେ ମିଳିଲାନି ବୋଲି
ଦୁଃଖ କୁ ସାହାରା କରି
ଆଖିର ଲୁହରେ ଜିଉଁଛି ଜୀବନ
ଦଣ୍ଡେ ଜିଇଁ ଦଣ୍ଡେ ମରି ॥