ତଥାପି
ତଥାପି
ମାଆ ପେଟରୁ ହିଁ ମୋ ପାଇଁ
ହତ୍ୟାର ଷଡଯନ୍ତ୍ର ହୁଏ,
ତଥାପି ମୁଁ ଜନ୍ମ ନିଏ ସଵୁ ବାଧା ଡେଇଁ ।
ସଵୁଠି କୌତୂହଳ ନେଇ ମୋ ଦେହକୁ
ଦଳି ମନ୍ଥି ଦିଆଯାଏ
କଢି ଵେଳୁ ଫୁଟିବା ଆଗରୁ ।
ତଥାପି ମୁଁ ଫୁଟି ଉଠେ ସାତତାଳ ପଙ୍କରୁ
ସୃଷ୍ଟିର କଷ୍ଟକୁ ସହି
ଫୁଲ ଭଳି ଦେହରେ ମୋହର ।
ସୃଷ୍ଟି ହୋଇ ସର୍ଜନାର ଦାୟିତ୍ବ ବି ନିଏ
ନୂଆ ଏକ ଜୀଵନଟେ
ଚିରକାଳ ମୋ ଭିତରେ ଆଶ୍ରିତ ହୁଏ ।
ମୋ ମନକୁ ,ମୋ ଦେହକୁ
ଯେତେ ଶସ୍ତାରେ ବ୍ୟଵହାର କଲେ ବି
ଚିରକାଳ ମୋ ମହତ୍ଵରେ ମୁଁ ଝଟକୁଥାଏ ।
ଏତେ ଯନ୍ତ୍ରଣା ,ଏତେ ଦୁଃଖ
ମୋ ଚାରିପଟେ ଅସୁରକ୍ଷାର ନିୟତ ବଳୟ
ତଥାପି ବି ଝିଅଟେ ଵୋଲି
ଚିରକାଳ ମୋ ଗୌରଵରେ ମୁଁ ଗର୍ଵିତ ହୁଏ ।
ଉତ୍ତର ପ୍ରଦେଶର ସେଇ ଝିଅଟି ମରିଗଲା ପରେ ଵି
ଅସହାୟ ହୋଇ ଅନେକ ଝିଅ
ଅକାଳରେ ଝଡିଗଲା ପରେ ଵି
ଲୁହର ଦରିଆ ଡେଇଁ ଚିରକାଳ ତଥାପି ମୁଁ ହସେ ।