ଅକ୍ଷତ ଶୀତ
ଅକ୍ଷତ ଶୀତ
ଅକ୍ଷତ ଶୀତ
ପ୍ରମୋଦ ପ୍ରଧାନ
ଘାସ ଗାଲିଚା ଉପରେ ବିନ୍ଦୁବିନ୍ଦୁ କାକର
ସଫେଦ୍ ହସ୍ତାକ୍ଷର
ପ୍ରକୃତିର ଇସ୍ତାହାର
ଡେଣା ବିସ୍ତାରି, ଶିଶିର ଚିରି
ଝରିପଡ଼େ ଶୀତ
ଏଇ ତ ପ୍ରୀତି ଦସ୍ତଖତ !
ସକାଳେ
ଅଳସୀ ଶୀତର କଳସିରୁ
ଶୀତଳ ସମୀରଣ
କୁହୁଡ଼ିର ଆସ୍ତରଣ
ସୁନେଲି କିରଣେ
ବଉଳ ପେନ୍ଥାରେ ଶୃଙ୍ଗାର
ଅଙ୍ଗାରୁଆ ଛାତିତଳେ
ଜଳେ ଜାଡୁଆ ବାସର ।
ବତୁରା ଧାନଉଁସା ହାଣ୍ଡିତଳେ
ଚୁଲିରେ ଧୁ’ଧୁ’ କାଠଗଣ୍ଡି
ଭେଣ୍ଡିପୋଡ଼ା ବାସ୍ନାରେ
ଆଶାର ତୃଷ୍ଣାରେ ଉଷ୍ଣ ମଣ୍ଡି ।
କୋହଲା ଲହରିରେ
ସୋରିଷ ଫୁଲର ଆସର
ମାଣ୍ଡିଆ କ୍ଷେତରେ ଉଡ଼େ କେଶର
ଝିଙ୍କାରୀ ଲମ୍ବାଲମ୍ବା ଦାନ୍ତେ
କେଣ୍ଡାକେଣ୍ଡା ପାଚିଲା ଧାନ
ଝରିପଡ଼େ କ୍ଷେତେ
ଅପୂର୍ବ ସମାହାର ଶୀତର ଅସର ।
ଅସ୍ତଗାମୀ ଗୋଧୂଳି
ନୀଡ଼ମୁଖୀ କାକଳି
କଅଁଳିଉଠେ ଶୀତରେ ମହାବୃତ୍ତ
ଠାଉଠାଉ ଓଠ
ଓଠରେ ଶୀତଳ ଅମୃତ
ଏଇ ତ ମହାସ୍ରୋତ ଅକ୍ଷତ ଶୀତ !!
ଫ୍ରେଣ୍ଡସ୍ କଲୋନୀ, କଟକ
ଫୋନ : ୯୪୩୭୧୮୨୭୮୫
*****