ବନମାଟି
ବନମାଟି
ମନେପଡେ ଆଜି
ପିଲାଦିନର ସେ
କାଦୁଅ ମାଟିର କାନ୍ଥ ଉପରେ
ଚାଳ ଛପର ର ଘର ।
କେତେ ଯତନରେ
ଲିପାପୋଛା କରି ଘରର ଘରଣୀ
ରଖୁଥିଲା ପରିଷ୍କାର ।।
ମଲା ମୃତିକିଆ ପରବ ପର୍ବାଣି
ପଡୁଥିଲା ଯେତେବେଳେ ।
ସବୁ ଘର କାନ୍ଥ ଅଗଣା ଦୁଆର
ଲିପା ପୋଛା ଏକାବେଳେ ।।
ଲିପା ପୋଛା ପାଇଁ ବନମାଟିର ଯେ
ରହିଥିଲା ଦରକାର ।
ବନମାଟି ଦେଇ ନ ଲିପିଲେ ଘର
ଦିଶୁଥିଲା ଅସୁନ୍ଦର ।।
ବରଷକ ପାଇଁ ପ୍ରତି ପରିବାର
ରଖୁଥିଲେ ବନମାଟି ।
ସେ ମାଟିରେ ଲିପି ଚାଉଳ ଆଣରେ
ଲେଖୁଥିଲେ ଚିତା ଝୋଟି ।।
ସାବୁନ ଓ ସାମ୍ପୋ ସେତେବେଳ କାଳେ
ମିଳୁ ନଥିଲା ଗାଁରେ ।
ଦେହ ମୁଣ୍ଡ ସଫା କରିବା ପାଇଁକି
ନିର୍ଭର ବନମାଟିରେ ।।
ଘର ପଛପଟେ କାନ୍ଥକୁ ଲଗାଇ
ରଖୁଥିଲେ ଯେ ଗଦେଇ ।
ଦରକାର ବେଳେ ନେଉଥିଲେ ସେଠୁ
ଘର ଦ୍ୱାର ଲିପା ପାଇଁ ।।
ଆଜିକାଲି ସବୁ ବଦଳିଗଲାଣି
ନାହିଁ ଆଉ ମାଟି ଘର ।
ଛାତଘର ଆଉ ସିମେଣ୍ଟ କାନ୍ଥରେ
ଲିପା ନାହିଁ ଦରକାର ।।
ସାବୁନ ଓ ସାମ୍ପୋ ଲଗାନ୍ତି ସମସ୍ତେ
ଦେହ ମୁଣ୍ଡ ସଫା ପାଇଁ ।
ବନମାଟି କଥା କିଏସେ ପଚାରେ
ଜାଣନ୍ତିନି କଣ ସେହି ।।
*****