ଲୀଳାମୟ ହେ
ଲୀଳାମୟ ହେ
କେତେ ରଙ୍ଗ ରଙ୍ଗେ ରଙ୍ଗୀତ କରିଛ
ଲୀଳାମୟ ହେ ଠାକୁର
ସଂସାର ସୁଖରେ କି ମାୟା ବାନ୍ଧିଛ
ଆସୁ ନାହିଁ ମୋର ଡର ।
ଚାରୁଚିତ୍ର ପଟ ପରି ନିଷ୍କପଟ
ଲାଗେ ମୋତେ ଝଟ ଝଟ
ଫୁଟିଲେ ଚହଟ ପୁରିବକି ଘଟ
କିରୀଟର ଯାହା ରାଟ ।
କେତେ ରୁପ ତୋର ରୂପର ପ୍ରକାର
ନାହିଁ ତାର ପଟାନ୍ତର
ତୁମେ ହିଁ ତ ପ୍ରଭୁ ଜଗତ କାରକ
ତୁମେ ହିଁ ସବୁର ସାର ।
ଏ ଆଖି ତୋହର ଦେଖିବାକୁ ତୋର
ଅରୁପରେ ରୂପ ସାର
ମନ ଭାବ ଜ୍ଞାନ ତୋର ସବୁ ଦାନ
ବୁଝିବାକୁ ରୁପ ତୋର ।
ଅନଳେ ଅନିଳେ ଅବା ଜଳ ସ୍ଥଳେ
ତୁହି ପ୍ରଭୁ ସର୍ବବ୍ୟାପୀ
ଏ ଜୀବନ ଯାହା ହୋଇଯିବ ବୃଥା
ନପାରିଲେ ତୋତେ ଜପି ।
ଯାତ୍ରା ପଥ ମୋର କର ହେ ସୁଗମ
ସହଯାତ୍ରୀ ହୁଅ ତୁମେ
ବନ୍ଧନ ବଳୟ ଦୂର କର ପ୍ରଭୁ
ଯାଉଛି ଅନ୍ତିମ ଯାମେ ।
ତୁମେ ହିଁ ଅନ୍ତିମ ସ୍ଥଳ ମୁକ୍ତି ଆଉ
ବନ୍ଧନର ଶେଷ ଲୟ
ତୁମରି ଭିତରେ ସବୁରି ଆରମ୍ଭ
ତୁମେ ପ୍ରଭୁ ସର୍ବମୟ ।
ପ୍ରଶାନ୍ତ କୁମାର ହୋତା