ସାତ ଚକୁଳି ଚଉଦ ଚେଁ… !!!
ସାତ ଚକୁଳି ଚଉଦ ଚେଁ… !!!
ସାତ ଚକୁଳି ଚଉଦ ଚେଁ…
ଯେତେ ବଡ ଘର ସେଡିକି କେଁ..II
ନଣଦ ଭାଉଜ କଥା କଟାକଟି
ଶାଶୁ ମୁହଁ ମୋଡେ ବୋହୁକୁ ଦେଖି
ଛେଚି କୁଟି ହେଇ ବୋହୁ ହାଣ୍ଡିଶାଳେ
ପାଦ କଚାଡିକି ରଡଇ ଭେଁ...II
ପଡିଶା ଘରର ଖୁଡୀ
ଶାଶୁ ବୋହୂ କାନ ଭରି..;
ହୁଏ ଏ ଘର ମାଉସୀ ସେ ଘର ପିଉସୀ
ସାଇ ପଡ଼ିଶାଏଁ ସୁକୁଟ ଦେଖନ୍ତି
ଏଣେ ଶାଶୁ ବୋହୁ ଧରାଧରି..II
ଲଗେଇ ଜଟେଇ କଥା
ସଜ ମାଛରେ ପୋକ ପକେଇ
ପର ଝିଅ ବୋହୂଙ୍କୁ ନିନ୍ଦା..II
ଚାଲୁଣି କହୁଛି ଛୁଞ୍ଚିକୁ..;
କହିଦେଉଥାଏ ପରକୁ
ବୁଦ୍ଧି ନ ଦିଶଇ ଘରକୁ..II
ଝିଅ ପଳେଇଲା କୋଉ ଅଜାତିଆ ସାଙ୍ଗେ
ଏବେ ଲୁଚେଇବ ମୁହଁ କାହାକୁ..II
ନିଜ କରମ ବୁଦ୍ଧିରେ କରମଙ୍ଗା ଫଳେ
ଆମ୍ବଡା ଗଛରେ କି ଆମ୍ବ ଫଳେ..II
ବଡ ବୁଢ଼ୀ କଥା କହିଯାଇଛନ୍ତି....
ଅନ୍ଧାର ରାତି, ଗୋଲାମ ଜାତି
କାନ କୁହା କଥା ନଦେବ ମତି..II
ଆଲୋ ସଖି, ଆପଣା ମହତ ଆପେ ରଖି
ପର କଥାରେ ଘର ଭାଙ୍ଗିବା ଆଗରୁ
ଟିକେ ନିଜକୁ ନେବ ପରଖି..II
କାନ ଦେବ, ଜିଭ ଦେବ ନାହିଁ
ନିଜ ବୁଦ୍ଧିରେ ଘାସ କାଟିବ ପଛେ,
ପରବୁଦ୍ଧିରେ ଘୋଡା ଚଢିବ ନାହିଁ..II
କଥାରେ ଅଛି...!!!
କୁଟ ବଚନ, କପଟ ମନ
ପାଶୋରି ନ ଯାଏ ମନୁ..;
ଦିନ ଦିନକର କଥା ମନେ ପଡିଗଲେ
ଘାରି ହୋଇଯାଏ ତନୁ..II
ଦିନ ଯାଏ, କଥା ରହେ ..;
ଏ କଥା ମନରେ ଟିକିଏ ହେଜି
ହାତେ ମାପି ଚାଖଣ୍ଡେ ଚାଲିଲେ
ପ୍ରମାଦ ପଡି ନ ଥାଏ.......II
**ବିନ୍ଦୁ**