କ୍ଷୋଭ
କ୍ଷୋଭ
ଇଛାହେଲେ ଲେଖିବାକୁ କବିତା କି ଗପ
ଖୁଣ୍ଟିବସେ ବକବକ କରୁଥିବା ଶବ୍ଦରୁ ପୁଳାଏ
ପ୍ରବଳ ପ୍ରତିବାଦୀ ଚରିତ୍ର ଟେ ଗଢି
ଦୌଡାଏ ସେମାନଙ୍କୁ ଅବିଶ୍ରାନ୍ତ
ଖରା,ବର୍ଷା, ଶୀତ, କାକରରେ
ସକାଳରୁ ସଞ୍ଜ ଆଉ ସଞ୍ଜରୁ ସକାଳ
ଯାଦୁମନ୍ତ୍ର ବଶୀଭୂତ ହେଇ
ଦିନରେ ସୁଧାର ମେଣ୍ଢା
ଓ ରାତି ରେ ଭେଣ୍ଡା ସାଜୁଥିବା
ବିପନ୍ନ ଏ ସମାଜ ପଛରେ।
ଆତ୍ମସତ୍ତା ବିସ୍ମୃତ
ବେଚରା ମଣିଷ ମାନେ
ଭୀଷ୍ମ ପରି ବଦ୍ଧପରିକର
ଆଜୀବନ ଗୋଲାମ ସାଜି
କେବଳ ହୁକୁମ ମାନିବାକୁ,
ସବୁତକ ପାରିଲାପଣକୁ ଗୋଟେଇ
'ହଁ' ରେ 'ହଁ' ଆଉ 'ନା' ରେ 'ନା' ଜୋଖି
ସ୍ୱାର୍ଥୀ ପ୍ରଭୁର ସ୍ବପ୍ନକୁ ସାକାର କରିବା ପରେ
ବରିବାକୁ ପ୍ରଭୁଦତ୍ତ ଦୟାମୃତ୍ୟୁ
ପରମାନନ୍ଦରେ
ସଯତ୍ନେ ସାଇତି ଦେଇ ଏ ଜନ୍ମର
ତଥାକଥିତ ପ୍ରଭୁଭକ୍ତିର ପୁଣ୍ୟଫଳ ତକ
ଭୋଗିବାକୁ କଳ୍ପିତ ସ୍ଵର୍ଗରେ
ନତୁବା, ଆଗାମୀ ଜନ୍ମରେ।
ଏ ଜନ୍ମରେ ଦୁର୍ଲ୍ଲଭ ଏ ଜୀବନର
ସମୁଦାୟ ମାଲିକାନା ସତ୍ତ୍ୱକୁ ସେମାନେ
ହାତକାଟି ଲେଖିଦେଇଛନ୍ତି
ସେମାନଙ୍କ ବିକଳପଣ କୁ ତଉଲି
କେବେ ତାଙ୍କ ଭୋକିଲା ପେଟକୁ
ଫିଙ୍ଗିଦେଇ ସମ୍ମୋହକ ଦାନା ମୁଠେ
ନିଜକୁ ଈଶ୍ୱର ସଜେଇଥିବା
ମାୟାବୀ ଦାନବଙ୍କ ନାଁ'ରେ।
କିଞ୍ଚିତ ଯଥାର୍ଥ ଲାଗେ ତାଙ୍କ ଯୁକ୍ତି
କୁହନ୍ତି ଯେତେବେଳେ ଆତ୍ମବିଶ୍ୱାସୀ ହେଇ
ବିଲକୁଲ ବିପନ୍ନ ନୁହଁନ୍ତି ସେମାନେ
ସମ୍ପନ୍ନ ଯେହେତୁ ତାଙ୍କ ଇଶ୍ୱରମାନେ
କଳ, ବଳ ଏବଂ କୌଶଳ ରେ।
ଥକିଯା'ନ୍ତି ଶବ୍ଦମାନେ,
କ୍ଳୀବତ୍ଵ ବରଣ କରନ୍ତି
ପ୍ରତିବାଦୀ ଚରିତ୍ରମାନେ
ସବୁକିଛି ଚାଲେ ରୀତିମତ
ସମୟର ପୁରୁଣା ସେ ଶଗଡ଼ ଗୁଳାରେ,
ତଥାପି ମୋ ଲେଖନୀର ଗାର
ବେଳକୁ ବେଳ ଲମ୍ବି ଚାଲୁଥାଏ
ଗରୀବ ବାପର ବଢିଲା ଝିଅଟେ ପରି,
ଆତ୍ମହତ୍ୟା କରିଥିବା ଚାଷୀର
ଲମ୍ବା ଗର୍ଦ୍ଦନ ଆହୁରି ଲମ୍ବିଲା ପରି,
ପାକିସ୍ତାନ ଜେଲରେ ଶଢ଼ିଶଢି
ପଳପଳ ମରିବା ଭିତରେ
ବିବଶ କୂଳଭୂଷଣ ର
ଭିଟାମାଟିକୁ ଫେରିବାର ସ୍ୱପ୍ନ ପରି,
ପେଟପିଠି ତାଡନାରେ
ଦେହକୁ ଏବେଏବେ ପୁଞ୍ଜି କରିଥିବା
ସରଳ ଗାଁଉଁଲୀ ଝିଅଟା
ଆଗକୁ ପାଦଟେ ବଢ଼େଇ
ପଛକୁ ଦି'ପାଦ ଫେରେଇ ଆଣିବା ପରି।
ଖୁବ ବେଶି ବ୍ୟତିବ୍ୟସ୍ତ ଲାଗେ,
ଅସ୍ତବ୍ୟସ୍ତ ହେଇଯାନ୍ତି
ସନ୍ତାନ ସମ୍ଭବା ଯେତେସାରା ଶବ୍ଦ,
ବିଦ୍ରୋହୀ ଚରିତ୍ର ମାନେ ବାଧ୍ୟ ହୁଅନ୍ତି
ନିଜରକ୍ତ ନିଜେ ପିଇବାକୁ।
ଲମ୍ବୁଥିବା ଲେଖନୀ ର ଗାର
ସମ୍ପୁର୍ଣ୍ଣ ଲମ୍ବିବା ଆଗରୁ
କେହିଜଣେ ନିରୁଦିଷ୍ଟ ହେଇଯାଏ
ଅଚାନକ ମେଣ୍ଢାଙ୍କ ମେଳରେ
ସମ୍ଭବତଃ, ମୁଁ ସେଇ କବି ଓ ଗାଳ୍ପିକ,
କଲମ ମୁନ ମନ୍ତ୍ର ବଳେ
ମଣିଷ କୁ ମଣିଷ କରିବାର
ଦୁର୍ବାର କାମନା ଯା'ର
ଶେଷହୀନ ଶୋଷ ହେଇ ରହେ
ପରାକ୍ରମୀ କଲମ ମୁନ ରେ।