ବର୍ଷା ଆଗମନେ
ବର୍ଷା ଆଗମନେ
ବର୍ଷା ଆଗମନେ
କୋକିଳ କୂଜନ ହେଲାଣି ମଉନ ଶୁଭିଲାଣି ଘଡଘଡି
ଶୀତଳି ଅନଳ ଅନିଳେ ଶୟଳ ଆସିଲାଣି ମେଘ ମାଡି ,
ହେ କବି, ଲେଖିବ ନାହିଁ କି ଭାବନାରୁ ଭାବ ବାଢି ।
କାହିଁ ସେ ମରୁତ ଲାଗୁନି ତପତ ସନ୍ତାପ ଯାଉଛି ଛାଡି
ଆହା କି ପୁଲକ ଗଗନେ ଝଲକ ବିଜୁଳି ଛଟକ ଛଡି,
ହେ କବି, ଲେଖିବ ନାହିଁ କି ଭାବନାରୁ ଭାବ ବାଢି ।
ପହଲି ରଜରେ ନୂତନ ସଜରେ ପଦାକୁ ବାହାରି ପଡି
ଯୁବତୀଙ୍କ ମେଳେ ଯୁବକ ବିଭୋଳେ କଅଁଳ ନିଶକୁ ମୋଡି,
ହେ କବି, ଲେଖିବ ନାହିଁ କି ଭାବନାରୁ ଭାବ ବାଢି ।
ଚାତକ ମନରୁ ଚାତକୀ ପ୍ରାଣରୁ ଜହ୍ନ ବି ଗଲାଣି ଛାଡି
ମେଘ ଅନ୍ତରାଳେ ରଜନୀର ବେଳେ ଉଙ୍କିଲାଣି ଆଖି ଫାଡି,
ହେ କବି, ଲେଖିବ ନାହିଁ କି ଭାବନାରୁ ଭାବ ବାଢି ।
ସାରୁ ଗଛ ମୂଳେ ମିଳନର ଛଳେ ଶୁଭିଲାଣି ବେଙ୍ଗ ରଡି
ଦେଖ ତା' ଅଳିକି ରସିକ ଭେଳିକି ପ୍ରେମ ଗୀତ ଯାଏ ପଢି,
ହେ କବି, ଲେଖିବ ନାହିଁ କି ଭାବନାରୁ ଭାବ ବାଢି ।
ମାଟିରୁ ଆକାଶ ସଭିଏଁ ହରଷ ନବୀନ ଉଲ୍ଲାସ ଘଡି
ଫଟାଇ ମୃଣ୍ମୟ ନବ କିଶଳୟ ଦେଖାଏ ଯେ ମୁଣ୍ଡ କାଢି,
ହେ କବି, ଲେଖିବ ନାହିଁ କି ଭାବନାରୁ ଭାବ ବାଢି ।
କୃଷକର ମନ ହେଲାଣି ଉଛନ୍ନ କ୍ଷେତରୁ ଘାସ ଉପାଡି
ଉପୁଜିବ ଅନ୍ନ ରୋପିଦେଲେ ଧାନ କର୍ଦ୍ଦମ ପଙ୍କାଳ ମାଡି,
ହେ କବି, ଲେଖିବ ନାହିଁ କି ଭାବନାରୁ ଭାବ ବାଢି ।
ଭରି ଶିହରଣ ଯୁବା ମନ ପ୍ରାଣ ଉରଜୀ ମୋହରେ ପଡି
ଇଚ୍ଛେ ଆଲିଙ୍ଗନ କାମିନୀ ଚୁମ୍ବନ ବରଷା ନ ଯାଉ ଛାଡି,
ହେ କବି, ଲେଖିବ ନାହିଁ କି ଭାବନାରୁ ଭାବ ବାଢି ।
ନିଦାଘରେ ଜଳି ଯାଇଛି ସମ୍ଭାଳି ନ ପାରିଲି ଆନ ଲୋଡି
ବରଷା ବିତାନେ ଘେନି ଉପାଧାନେ ଜୀଇଁଥିବି ବକ୍ଷେ ଭିଡି,
ହେ କବି, ଲେଖିବ ନାହିଁ କି ଭାବନାରୁ ଭାବ ବାଢି ।
ପ୍ରସନ୍ନ କୁମାର ମାଦଳା