ଆଶ୍ରୟ
ଆଶ୍ରୟ
ଗଛେ ବସା ବାନ୍ଧି କରିଥିଲୁ ଘର
ଗଛକାଟି ବସା ଭାଙ୍ଗିଦେଲେ,
ଜଙ୍ଗଲ କ୍ଷେତକୁ କାଟିକୁଟି ଦେଇ
କଳ କାରଖାନା ଗଢିଦେଲେ l
ଖରା ବରଷାକୁ ଖାତିରି ନକରି
କିଚିରି ମିଚିରି ହେଉଥିଲୁ,
ପାହାନ୍ତା ପ୍ରହରେ ମନ ଆନନ୍ଦରେ
ତୁମ ଅଗଣାରେ ବୁଲୁଥିଲୁ l
କୁନୁ ମୁନୁ ରୀନା ମାଆ ମାଉସୀଙ୍କ
ଫୋପଡ଼ା ଅଇଁଠା ଖାଉଥିଲୁ,
ଫଡଫାଡ ହୋଇ ଏଡାଳେ ସେଡାଳେ
ମନ ଆନନ୍ଦରେ ଉଡ଼ୁଥିଲୁ l
ଆମ ବଂଶ ଏବେ ନିପାତ ହେଉଛି
ବସା ବୋଲି ଆମ କିଛି ନାହିଁ,
ଯେତେ ଘର କଲେ ମଣିଷ ଜାତିଟା
ତାଙ୍କରି ମନରେ ତୃପ୍ତି କାହିଁ l
ଆମ ସାଙ୍ଗସାଥୀ ସବୁ କହୁଛନ୍ତି
ମଣିଷ ଜାତିଟା ନିଷ୍ଠୁର,
"ପରିବେଶ"କୁ ନଷ୍ଟ କରୁଛନ୍ତି
ତାଙ୍କ ବଂଚିବା କଷ୍ଟକର l
ସବୁଠାରୁ ଶ୍ରେଷ୍ଠ ହେ ମଣିଷ......
ବୁଝିଯାଅ ତୁମେ ଏଥର,
ଆମେ ନରହିଲେ ତୁମେ ରହିବନି
ଆମକୁ ଆଶ୍ରୟ ଦରକାର l
ସୁକାନ୍ତି ହୋତା
ତାଳଚେର