ଜହ୍ନ ଯେମିତି ମରେ
ଜହ୍ନ ଯେମିତି ମରେ
ଚାହିଁଥିଲି ଦିନେ ହାତରୁ ତୁମର
ସିନ୍ଦୂର ପାଇବି ମାଥେ
ଦେଇ ତ ନଥିଲ କିପାଇଁ ଏମିତି
ଆସୁଛ ସପନେ ରାତେ ?
ଦୁନିଆଟା ସିନା କ୍ଷଣକେ ଏଇଠି
ଓଲଟି ଯିବା ହିଁ ସତ
ପାସୋରିଛି ବୋଲି କେମିତି କହିବି
ଓଲଟାଇ ମୋର ମତ ?
ଜାଣିନାହଁ ତୁମେ ହଜେଇ ସାରିଛି
ଯାହାସବୁ ଥିଲା ମୋର
କିପାଇଁ ଏମିତି ଅନିଶା କରିଛ
ଦେବି କି ନିଗାଡି ଦୋର ?
ଉଜୁଡିବା ପରେ ଏ ଘର ଛପର
ଆକାଶ ଦିଶିଲା ଖୋଲା
ସମବେଦନା ବି ନଥିଲା ପାଖରେ
ଅନ୍ତର ଯେମିତି ପୋଲା ।
ଲୁହ ପୋଛି ପୋଛି ଉଦାସୀ ଜୀବନେ
ଜାଣିଲି କପାଳ ଫଟା
ଉଡି ଯାଇଥିବା ପକ୍ଷୀ ବି ବାହୁଡେ
ମୋର ଭାଗ୍ୟେ ହଟ୍ଟହଟ୍ଟା ।
ବାତ୍ୟାରେ ଉଜୁଡା ସଂସାରକୁ ଆସି
ଗାଆଁବାଲା କଲେ ଘର
ବିଶ୍ୱାସ ଜମେଇ ହାତ ଯେ ବଢାଏ
କେମିତି କହିବି ପର ?
ବିତିଗଲା ଦିନ କାରାରେ ଏକାକୀ
ପାଇବାକୁ ତୁମ ଦେଖା
କିଏ ଜାଣିଥିଲା ଅଚାନକ ଦିନେ
ବଦଳିବ ଭାଗ୍ୟରେଖା !
ଫେରାର ଝିଅଟେ ମନ ମାରିଦେଇ
ଘରେ ଆସି ଯେବେ ମିଳେ
ପଞ୍ଚଗବ୍ୟ ନେଇ ପାପ ଧୋଇବାକୁ
ପଛାଏନା କେବେ ତିଳେ ।
ଅନ୍ତଃସତ୍ତ୍ବା ନୁହେଁ ତଥାପି ଉଦରେ
ଅନୁଭବେ ତୁମ ସ୍ଥିତି
ଏଇ ଶୁଣିଯାଅ ପ୍ରତିଧ୍ବନି ଶବ୍ଦେ
ଲେଖିବ ପ୍ରଣୟ ଗୀତି ।
ସୂରୁଯ ଥାଉଁଣୁ ଆକାଶେ ଉଇଁଲେ
ଜହ୍ନ ଯେମିତି ମରେ
ଜୀଇଁଛି ସେଭଳି ଆସିବ ନାହିଁ ହେ
ଆଉ କେବେ ପୁଣି ଥରେ ।
ପ୍ରସନ୍ନ କୁମାର ମାଦଳା