ମାଟି
ମାଟି
ଆଷାଢ଼ର ଆଗମନ ,
ପ୍ରକୃତିର ସମ୍ବାଦ ।
ଭିଜା ମାଟିର ଶେଜ ଆଉ କଦମ୍ବର ମହକ ।
ଆଃ ! ଏ ଭିଜା ମାଟିର ବାସ୍ନା ,
ଆଉ ରଙ୍ଗ ଭରା ତୁମ ପଣତ
ମୋତେ ନେଇଯାଏ ଭସା ବାଦଲ ସାଜି ,
ଟିକେ ଦୂରକୁ ,ଦୂରକୁ ।
ଏ ବର୍ଷା ଭିଜା ରାତିର ନିଧଡକ ସ୍ଵପ୍ନ ସବୁ ଜଡସଡ ହୋଇ କାଦୁଅ ସୁଅରେ ଭାସିଗଲା ପରେ ,
ମନେ ହୁଏ ଯେମିତି ନିୟମ ତାନ୍ତ୍ରିକ ଜୀବନଟା ଦରଭଙ୍ଗା କାନ୍ଥ ପରି ପ୍ରୟୋଜନ ଠାରୁ ଅଧିକ ସମୟ ଯାଏ ଛିଡା ହେଇଛି ।
ବାଟ ଭାଙ୍ଗି ଚାଲି ଗଲେ ବି ହୁଅନ୍ତା ,
ହେଲେ କୁନି ଝିଅର ପୋଡା ଉଦରରୁ ଉଷୁମ ଟିକେ ଟାଣି ଦେଇ ଅଣ୍ଟା ସଳଖି ଛିଡା ହେଲା ବେଳେ ପାଦ ତଳେ ବିଛେଇ ହେଇ ପଡେ ସେଇ ଭିଜା ମାଟି ।
କେଜାଣି କୋଉଠି ଆରମ୍ଭ ଆଉ କୋଉଠି ଶେଷ ,
ଆଖି ବୁଲେଇ ଦେଖିଲି ,
ଦୂର ଦିଗବଳୟ ତଳେ ପଣତ ପାରି ଶୋଇ ରହିଛି ମୋ ମାଆ ।
ପଞ୍ଚଭୂତର ପ୍ରଥମ ଆନନ୍ଦ ,
ମାଟି । ମୋ ମାଆ ।
ମୋତେ ହାତ ଠାରି ଡାକୁଛି ।