ବିବଶ ଅବଶୋଶ
ବିବଶ ଅବଶୋଶ
ବିବଶ ଅବଶୋଶ
ଆଭାକାନ୍ତ ମହାନ୍ତି
ମହାନ, ବିଶିଷ୍ଟ, ଚର୍ଚ୍ଚା ପରିସ୍ଫୁଟ
ସମ୍ମାନେ ଥା'ନ୍ତୁ ବଞ୍ଚିତ
ଶବ୍ଦେ କୁବେରତ୍ୱ, ଭାବେ ଗିରି ଶତ
କରୁଥା'ନ୍ତୁ ଭୂ-ଲୁଣ୍ଠିତ,
କୃତିକୁ ପରଶି, ଇତିହାସେ ଘୋଷି
କରିଥା'ନ୍ତୁ ଆକଣ୍ଠସ୍ଥ
ତାଙ୍କୁ "କବି' କହି ଦେବାରେ ନିର୍ମୋହି
ମୋର ଲେଖନୀ କୁଣ୍ଠିତ ।
ଯହିଁ ଯତିପାତ ନାହିଁ ପ୍ରଦର୍ଶିତ
ନାହିଁ ଛନ୍ଦ ବନ୍ଧ ଧାରା
ନଥାଏ ଲାଳିତ୍ୟ, ହୃଦ ଆକର୍ଷିତ
ମୋହନା ଆବେଗ ଝରା,
ଗାଇବନି ଯୋଷା, ଗାଇବନି ଚଷା
ନା ଗାୟକ କଣ୍ଠ କ୍ଷରା
କବିତା' କୁହନ୍ତି, କେମିତି ସହନ୍ତି
ସାହିତ୍ୟର ବସୁନ୍ଧରା ?
ସଂସ୍କୃତିକୁ ଭୁଲି ମା'କୁ ମମି ବୋଲି
ଔଚିତ୍ୟ ଭାବେ ଯେ ନ୍ୟାୟ
ସେ ସମାଜୁ ଆଶା ନ୍ୟାୟର ମୀମାଂସା
ସମୟର ଅପବ୍ୟୟ,
ଯେଉଁଠି ଲୁଣ୍ଠନ ଶ୍ରୀ ଅବଗୁଣ୍ଠନ
ପ୍ରତିବାଦ ହୁଏ ହେୟ
ଅନୁଷ୍ଠାନ ଗର୍ବ ବ୍ୟକ୍ତିବାଦେ ଖର୍ବ
ସଠିକ କି ପରିଚୟ ?
ମୋ ଲେଖନୀ ଦୃଷ୍ଟି ନୁହେଁ, ହେଉ ସୃଷ୍ଟି
ଏ ଶୈଳୀ ସାହିତ୍ୟରାଜ୍ୟେ
ସ୍ୱାଗତ ମୁଁ କରେ, ଯଦି ନବ ଧାରେ
ସାହିତ୍ୟରେ ଏ ବିରାଜେ,
କିନ୍ତୁ ଏ କବିତା ବୋଲିଟି ମାନ୍ୟତା
ପାଉ ତା ଲେଖନୀ ବର୍ଜେ
ଶୀଖଣ୍ଡି କି ବୀରେ ଗଣା ପୁରାଣରେ
ଥାଉଁ ଭୀଷ୍ମ ମୃତ୍ୟୁ କାର୍ଯେ ?
ଆଧୁନିକ ବୋଲି ପାରିବା କି ଭୁଲି
ଜନ୍ମର ଯା' ମୂଳତତ୍ତ୍ୱ
ଆଧୁନିକ ବୋଲି ଉଚିତ କି ଜାଳି-
ଦେବା ସଂସ୍କୃତିର ସ୍ୱତ୍ୱ ?
କାହିଁ ଆଧୁନିକ ଗତାନୁଗତିକ
ଧାରା ରୋକି ପାରଙ୍ଗତ
ଯଦି ନୁହେଁ, ମିଛେ ଗଦ୍ୟେ ପଦବାଚ୍ୟେ
ନୁହଁଇ ଯୁକ୍ତିସଙ୍ଗତ ।
ମୋ ଲେଖନୀ ଦୃଢ଼େ ଏଇ ମତ ବାଢ଼େ
ମାନ୍ୟତା ପଛେ ନପାଉ
ଯଦୁବଂଶ ନାଶ ପୂର୍ବୁ ଗର୍ବେ ବଶ
ହୋଇ ରହିଥିଲେ ବହୁ,
ସାହିତ୍ୟ ପୁରୋଧା ଭୁଲି ସ୍ୱତଃ ମେଧା
ଗୋଡ଼ାଣିଆ ପଛେ ହେଉ
ଏ ଆଧୁନିକତା କବିତା ମାନ୍ୟତା
ମୋ ଲେଖନୀଠୁ ନପାଉ ।
ମାନୁଛି ପଦବୀ ପଇସାରେ ଦବି
ରୁହେ ସାହିତ୍ୟିକ ମତ
ବଡ଼ ହେବା ଆଶା ରଖି ଭୁଲି ଦିଶା
ଅବ୍ୟକ୍ତ କରନ୍ତି ବ୍ୟକ୍ତ,
ଘର ନିଆଁ ବୋଲି ଅଞ୍ଚଳରେ ତୋଳି
ଧରିବା ନୁହେଁ ଉଚିତ
ସ୍ୱୟଂ ଭୁଲିଯାନ୍ତି, ସାହିତ୍ୟ-ସଂସ୍କୃତି
ଭୁଲିବାରେ କଣ୍ଠାଗ୍ରତ ।
କୁମ୍ଭୀରଟା ନେଇ ମଝିଧାର ଛୁଇଁ
କରେ ଜୋରେ ଅଟ୍ଟହାସ
ତେବେ ବି ପୁରୋଧା ଭୁଲି ସ୍ୱତଃ ସ୍ପର୍ଦ୍ଧା
ସ୍ୱାର୍ଥାନ୍ଧରେ ମଦହୋସ,
କେମିତି ସମାଜ ପାଇବ ତା ନ୍ୟାଯ୍ୟ-
ମାନ୍ୟ, ସାଂସ୍କୃତିକ ସ୍ପର୍ଶ
ହେ ମା ସରସ୍ୱତୀ ! ବିବଶ ମୁଁ ଅତି
ବ୍ୟକ୍ତ କରେ ଅବଶୋଶ ।
ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****