ଲଜ୍ଜା
ଲଜ୍ଜା
ଲଜ୍ଜା ଲାଗେ କହିବାକୁ ....ମୁଁ ଜନନୀ , ମୁଁ ହିଁ ଭଗ୍ନୀ ।
ଆମୋଦ ପ୍ରମୋଦର ବସ୍ତୁ ନୁହେଁ ମୁଁ।
ତୁମ ପ୍ରୟୋଜନର ସାଥୀ ବି ନୁହେଁ ।
ବରଂ ତୁମ ବିଶାଳ ଅସ୍ତିତ୍ୱର ଅସଲ ବୀଜ ଟିଏ ,
ମାଟି ତଳେ ମୁହଁ ପୋତି ତୋଳି ଧରିଛି ଯେ ତୁମ ମିଛ ଅହଂକାରର ବିଶାଳ ଗଣ୍ଡିକୁ ।
ଲଜ୍ଜା ଲାଗେ କହିବାକୁ , ମୁଁ ହିଁ ଦୁର୍ଗା ଓ ସୀତା ବି ମୁଁ ।
ଅଗ୍ନିପରୀକ୍ଷାର ଲୋମୋହର୍ଷଣକାରୀ ଦୃଶ୍ୟ ନୁହେଁ ମୁଁ
ତୁମ କିମ୍ଭୁତକିମ୍ଭାକାର ଚିନ୍ତାଧାରାର ପୃଷ୍ଠଭୂମି ବି ନୁହେଁ
ବରଂ ମାନସିକ ଯନ୍ତ୍ରଣା ତଳେ ପେଶୀ ହେଉଥିବା ମହୌଷଧିଟିଏ ।
ତୁମ ଅନ୍ତର ବ୍ୟଥାର ଅମୋଘ ଔଷଧିଟିଏ ।
ଲଜ୍ଜା ଲାଗେ କହିବାକୁ ,
ମୁଁ ପ୍ରଥମ ଗୁରୁ ମୁଁ ହି ଶିକ୍ଷାଦାତ୍ରୀ ବୋଲି ।
ଚାରିକାନ୍ଥ ଭିତରେ ଆବଦ୍ଧ ସ୍ୱରଲିପି ନୁହେଁ ଅବା ପାକଶାଳାର ନିର୍ଜୀବ ମାଟିପାତ୍ର ନୁହେଁ ।
ବରଂ ସ୍ନେହର ପିଣ୍ଡୁଳାଟିଏ , କ୍ଷମାର ପେଡି ଭିତରେ ହଜେଇ ଦେଇଛି ଯେ ନିଜ ପରାକ୍ରମକୁ ।