ହେ ଅନ୍ଧକାର !
ହେ ଅନ୍ଧକାର !
ହେ ଅନ୍ଧକାର !!
କିଏତ କେତେ କାନ୍ଦନ୍ତି ତୁମରି ପରଶେ,
ଜୀବନକୁ ଦୁର୍ବିସହ ମଣନ୍ତି ହତାଶେ।
ତୁମକୁ ମୁଁ ଡାକୁଚି ହରସେ,
ଆସ ଆସ ମୋର ପାଶେ,
ଅଭିମାନ କରନାହିଁ,
ଆସ ମୋର ପାଶେ !
ଶୁଣିଛି ତୁମକୁ ପାଇ ଲୁହ ଯାଏ ଝରି,
ହାହାକାରେ ଜୀବନ୍ତର ଶ୍ୱାସ ଯାଏ ସରି।
ଶୁଣିଛି ମଧ୍ୟ ତୁମକୁ କରିପାରିଲେ ନିଜର,
ତୁମେ ନିଅ ଆଲୋକ ଶରୀର,
ସୁଖ ଆଉ ଦୁଃଖ କରିଦିଅ ଏକାକାର !
କଳାରୁ ତ ସୃଷ୍ଟି ହୁଏ ସବୁ ରଂଗ,
ତେଣୁ ତୁମ ପରଶେ ମିଳିପାରିବ
ଜୀବନର ସାତରଙ୍ଗ,
ଭେଟି ପାରିବି ଜୀବନ ଜୀଇଁବାର
ଉତ୍ତାଳ ତରଙ୍ଗ।
ସେ ତରଙ୍ଗ ଲଂଘିବାର ଅନୁଭବ ପାଇ,
ଓଏସିସ୍ ରେ ଫୁଟିବ ଫୁଲ କେତେ ରଙ୍ଗ !
ଦୀର୍ଘ ମରୁଯାତ୍ରା ପରେ,
ଓଏସିସ୍ ଜଳବିନ୍ଦୁ ଅମୃତ ପରଶ ଦିଏ
ଶୁଖିଲା କଣ୍ଠରେ।
ନିର୍ଜୀବକୁ ଦିଏ ସେ ଜୀବନ,
ଅନ୍ଧାରରୁ ଜନ୍ମନିଏ ଆଲୋକ ସ୍ପନ୍ଦନ !
ତେଣୁ ହେ ଅନ୍ଧକାର !
ଆସ ତୁମେ ବନ୍ଧୁ ଆସ ଆସ,
ବିସ୍ତାରିତ କରି ବାହୁ ,କରିବାକୁ ଆଲିଙ୍ଗନ,
ରହିଛି ମୁଁ ହୋଇ ହସ ହସ।
ଅନ୍ଧାର ହୁଅ ବା ଦୁଃଖ,ଚାହେଁ ମୁଁ ପାଇବାପାଇଁ
ତୁମରି ପରଶ,ଅମୃତ ପରଶ !