ଚକ୍ରବ୍ୟୁହ
ଚକ୍ରବ୍ୟୁହ
ତତଲା କଢ଼େଇରେ ନିଜର ପରିଚୟକୁ ଫ୍ରାଏ କରି
ନୂଆ ଜନ୍ମିଥିବା ପକୁଡି
ଯାହାକୁ ଖାଇସାରିଛି ଦାମ ଭୋଇ
ବଳିଛି କେବଳ ତୈଳାକ୍ତ ଖବରକାଗଜ
ଯେଉଁଠି ସ୍ପଷ୍ଟ ପଢିହେଉଛି 'ନିଜର' ଶବ୍ଦ ଟା ।
ସେହି 'ନିଜର' ଶବ୍ଦ ଟା ଖୁ' ଆତ୍ମୀୟ
ଯିଏକି ଦାମକୁ କ୍ଷଣକେ ପହଞ୍ଚାଇ ପାରେ
ଭିନ୍ନ ଏକ ଦୁନିଆରେ
ଯେହ୍ନେ ସବୁକିଛି ନିଚ୍ଛକ , ବାସ୍ତବ ଆଉ ଜୀବନ୍ତ ।
ଏତେ ବଡ଼ ଦୁନିଆ..
ହେଲେ ଗୋଚର ପାଖ ଧାନକ୍ଷେତ ବ୍ୟତିତ
କ'ଣ ବା ଅଛି ଯେ ତା'ର ?
ନିଜର ବୋଲି !
ତା' ସଂପତ୍ତି କହିଲେ-
ଧାନ ଆଉ କ୍ଷେତ ।
ଧାନରୁ ଆ'କାର (ଆୟତ୍ତ) କାଢ଼ିନେଲେ 'ଧନ'
ଯେଉଁ ଧନ ରଙ୍ଗ ଭରିପାରେ
ଦାମ ବୁଣିଥିବା କିଛି ସ୍ବପ୍ନରେ
ଦାମ ନିଗାଡ଼ି ଥିବା ଲୁହଲହୁର ପରିଣାମରେ ।
ପୁଣି କ୍ଷେତରୁ ଏ'କାର ଛାଡିଦେଲେ 'କ୍ଷତ'
ଯେଉଁ କ୍ଷତ ସାଜିଯାଏ ଗୋଟେ ଅଜାଗା ଘା'
ଯା'କି ଦେଖି ହୁଏନାହିଁ କି ଦେଖେଇ ହୁଏନାହିଁ ।
ଏଇ ଯଉ ତିନିବର୍ଷ ହେଲା ଫସିଯାଇଛି ଦାମ
ଅଭିମନ୍ୟୁ ପରି ଚକ୍ରବ୍ୟୁହରେ
ପାଣିପାଗ , ସରକାର୍ ଆଉ ଗାଁ ମହାଜନ ଭିତରେ ।
ସେ ଥିଲା ଦ୍ୱାପର ଯୁଗ
ଯହିଁ ଥିଲେ ସ୍ୱୟଂ ଭଗବାନ ଶ୍ରୀ କୃଷ୍ଣ
ପିତା ରୂପେ ଗାଣ୍ଡିବଧାରୀ ଅର୍ଜୁନ
ମାତା ରୂପେ ଦ୍ରୋପଦୀ
ଯା'ପାଇଁ ମିଳିଥିଲା କୋଟି ବସ୍ତ୍ର ।
ଏଠାରେ କିଏ ଅଛି ଯେ ?
ନାହିଁ ଶ୍ରୀ କୃଷ୍ଣ ,ନାହିଁ ଅର୍ଜୁନ
ନାହିଁ ପୁଣି ମାତା ଦ୍ରୋପଦୀ
ଅଛନ୍ତି କେବଳ କୋଟି କୋଟି କୌରବ...।
ଏଇ ଯଉ ତିନିବର୍ଷ ହେଲା ଫସିଯାଇଛି ଦାମ
ଅଭିମନ୍ୟୁ ପରି ଚକ୍ରବ୍ୟୁହରେ
ଇନ୍ଦ୍ରଜାଲ , ସରକାର୍ ଆଉ ଗାଁ ମହାଜନ ଭିତରେ ।
ନା ଏଠାରେ ଅଛି-
" ଧର୍ମର ଜୟ"
ନା " କର୍ମର........"
ତା' ବୋଲି ତ ଦାମ ଭୋଇ ଆଜିବି ରହିଛି
ପୂର୍ବବତ୍ ଋଣୀ , ଦରିଦ୍ର , ନିଃସହାୟ ମଣିଷଟିଏ ହୋଇ...
ବଳବନ୍ତ ସାହୁ (ବବଲୁ)
ଭୂଷଲାର୍ଡ଼ , ସିନ୍ଧେକେଲା, ବଲାଙ୍ଗୀର
ମୋ- 9078105234