କଙ୍କାଳ ଅଛି ମାତର
କଙ୍କାଳ ଅଛି ମାତର
କମଳାକାନ୍ତ ହେ ! କର ଦରଶନ
କରିଛ ଯାହା ଭିଆଣ,
କେଉଁ ପରକାରେ କିଙ୍କର ମଣିଷ
କରୁଅଛି ବିଚରଣ ।
କେଉଁ ଆଡ଼େ ଗଲା କୋମଳ ବେଭାର
କରିଥିଲ ତୁମେ ଦାନ,
କ୍ରୁର ହିଂସ୍ର ଆତ୍ମା କେଉଁଠୁ ଆସିଲା
କରି ସାଥୀ ଅଭିମାନ ।
କୂଟ କପଟ କୁ କଲା ନିଜ ସାଥୀ
କର୍ମକୁ ନିଜର ତେଜି,
କାଳର ନିକଟେ କ୍ରୀଡ଼ନକ ହୋଇ
କଷଣ ସିନା ଭୋଗଇ ।
କୂଳଚ୍ୟୁତ ହୋଇ କୁଶାସନ ସାଥେ
କୁପଥେ କରେ ଗମନ,
କୃପା କରିବାତ କୋଶେ ଦୂରେ ଥାଉ
କଳହରେ ସଦା ମନ ।
କରିଦିଏ ବଦ୍ଧ କେତେ କେତେ ଜୀବ
କରିବାକୁ ବୃଦ୍ଧି କାୟା,
କରୁଣ କ୍ରନ୍ଦନ କରୁଥିଲେ ସୁଦ୍ଧା
କରେ ନାହିଁ ତିଳେ ଦୟା ।
କାମ ରସ ପାଇଁ କମ୍ପେ ତା ହୃଦୟ
କାମିନୀ ରେ ସଦା ମତି,
କରୁଥାଏ ଇଚ୍ଛା କୋମଳ ଶରୀର
କେମିତି, ହୋଇ ସେ ଯତି ।
କରୁଛି ଶୋଷଣ କାଳାନ୍ତକ ପରି
କାର୍ପଣ୍ୟ ଉଭେଇ ଗଲା,
କୁଚକ୍ରି ହୋଇ ସେ କେଉଁ ଯଶ ପାଇଁ
କୁଠାରାଘାତ କରିଲା ।
କଳଙ୍କର ବହୁ କାଳିମାକୁ ବୋଳି
କେଡ଼େ ବାହାସ୍ଫୋଟ ତାର,
କଳବଳ କଲା କୋଟି ଜନତାକୁ
କଙ୍କାଳ ଅଛି ମାତର ।