ପରିଜନ ପ୍ରୀତି ମିଳଇ କାହୁଁ
ପରିଜନ ପ୍ରୀତି ମିଳଇ କାହୁଁ
ନିଃସଙ୍ଗ ଏ ମନ ଖୋଜେ ପରିଜନ
ବିପଦ ସ୍ଥିତିରେ ପଡିଲେ ଜଣେ
କେହି ବା ସମର୍ଥ ଚଳେ କିଛି ପଥ
ନିଜ ପୁଅଝିଅ ପତ୍ନୀ ଗହଣେ ।
ସ୍ବାର୍ଥେ ଦୁରାଚାର ରଜ୍ଜୁରେ ନାଚାର
ସମ୍ପର୍କର ସେତୁ ଦୁର୍ବଳ ଏବେ
ନିଜ ପରିଚୟ ଜଣାଇବା ଭୟ
କୁଳକୁଟୁମ୍ବରୁ ବିଚ୍ଛିନ୍ନ ଯେବେ ।
କାଟୁଥାଏ ଦିନ ଆତ୍ମୀୟତା ହୀନ
କାରାଗାରେ କରି ନିଜକୁ ବନ୍ଦୀ
ନଥାଏ ବନ୍ଧନ ଦୁଃଖରେ କ୍ରନ୍ଦନ
କରେ ସିନା ମାୟାଜାଲରେ ଛନ୍ଦି ।
ଭବନ ଭିତରେ ଆପଣା ହିତରେ
ଗୋଟିଏ ସନ୍ତାନ ସହିତ ଜାୟା
ନିଜର ଇଚ୍ଛାରେ ଘର ବଗିଚାରେ
ଗଛ ନଥିଲେ କି ମିଳଇ ଛାୟା ?
ଯୌଥ ପରିବାରେ ସେବା କରିବାରେ
ପରସ୍ପରେ ଥାଏ ଅପାର ପ୍ରୀତି
ସଭିଙ୍କୁ ଆଦରି ହୋଇ ଧରାଧରି
ଜୀବନ ସହଜେ ପାରଇ ବିତି ।
ଭାବର ଅଭାବେ ବିଷୟା ପ୍ରଭାବେ
ନଦେଇ ମାଗିଲେ ମିଳେ କି ସାହା
ସ୍ନେହ ପ୍ରୀତି ବିନା ନିରର୍ଥକ ସିନା
ପରିବାର ଲାଗେ ଭଙ୍ଗୁର ଯାହା ।
ପୂର୍ବ ମଧୁରତା ଏ ଘରେ ପୂରନ୍ତା
ଆଗକାଳ କଥା ପାରିଲେ ଭାବି
ମାଟି ଗୋଡି ଇଟା ଲାଗୁଥାନ୍ତା ମିଠା
ଲୋଡା କି ହୁଅନ୍ତା ଘରର ଚାବି ?
ଦେବାରେ ଯେ ସୁଖ ନବୁଝିଲେ ଦୁଃଖ
ଆବେଗମୟ ସେ ସମ୍ପର୍କ ସେତୁ
ଭୁଷୁଡି ପଡଇ ବିଭେଦ ବଢଇ
ସ୍ବାର୍ଥରେ ଅକାଳ ତିକ୍ତତା ହେତୁ ।
ବୃଦ୍ଧାଶ୍ରମ କୁହ କିବା ବାଳଗୃହ
ଗଢି ଉଠିଲାଣି ଚାହୁଁ ନଚାହୁଁ
ଘର ସିନା ମିଳେ ସଦ୍ଭାବ ନଥିଲେ
ପରିଜନ ପ୍ରୀତି ମିଳଇ କାହୁଁ !