ମାନେ
ମାନେ
ସିଏ କଥା କହେ
ମୁଁ ବି କହେ
ଆମ ଦୁହେଁ
ଜଣକ ପରେ ଜଣେ
ନିରବଚ୍ଛିନ୍ନ କଥା ହୋଇ ଚାଲିଥାଉ
ବେଳାଭୂମିରେ
ଗୋଟିକ ପରେ ଗୋଟିଏ
ପିଟି ହେଉଥିବା
ଲହରୀମାଳା ପରି
ଯେବେ ତା ମନର
ଆଉ ଏକ କୋଣରୁ ଛୁଇଁବା ଲାଗି
କୌତୁହଳ ଜାଗେ
ଜାଣିଶୁଣି ମୁଁ ସେହି ଗୋପନ କଥାଟିକୁ
ତାକୁ ଅବୋଧ୍ୟ ହେଉଥିବା
କୌଣସି ଭାଷାରେ କହିଦିଏ
ଆଉ ଏହି ଦୁଃସାହସର ଫଳାଫଳ
ସେମିତି ହୁଏ
ମୁଁ ଯେମିତି ଆଶଙ୍କା କରିଥାଏ
ମାନି ନିଅ ଯେମିତି
ଆମ କଥୋପକଥନ
ଲହରୀମାଳାର ଭିଡିଓଟି
ହଠାତ ଫ୍ରିଜ଼ ହୋଇ
ଷ୍ଟିଲ ଫୋଟୋଗ୍ରାଫଟିଏ ହୋଇଯାଏ
ନିମିଷକ ମଧ୍ୟରେ
କୂଳକୁ ଚଢି ଆସିଥିବା
ଅବୁଝା ଲହରୀଟି ପରି
ସେଇଠି ଅଟକି ଯାଇ
ସେ ମତେ ପ୍ରଶ୍ନ କରିନିଏ -
"ମାନେ ?"
ତା ପରକୁ ତା ପରକୁ
ସବୁ କିଛି ଅଟକି ଯାଏ
ଯେମିତି ସ୍ୱଚ୍ଛନ୍ଦ ରାଜପଥରେ
ଗୋଟିଏ କାର୍ ରହିଗଲେ
ଗୋଟେ ପରେ ଗୋଟେ କାର୍
ସବୁ ଅଟକି ଯାଆନ୍ତି
ତା ପଛରେ
ଏଇନେ ତୁରନ୍ତ କିଛି ଜବାଵ
ଦେବାକୁ ପଡିବ
କାରଣ ଗୋଟିଏ ଢେଉକୁ
କୂଳରେ ଅଟକାଇ ହେବନି
ଅନିର୍ଦ୍ଦିଷ୍ଟ ସମୟ
ମୁଁ ଭଲ ଭାବେ ଜାଣିଥାଏ
ମୋ ଅପରିଣାମଦର୍ଶିତା
ତା ହସି ଦେବାରେ ସରିପାରେ
କିମ୍ବା ତା ନାକ ଅଗ ଅଭିମାନରେ
ସୁରଭି ନ ଥିବା ହସ ଟିଏ
ମୁହଁରେ ବୋଳି
ତାକୁ ଅଭିନୟାତ୍ମକ ଭଙ୍ଗୀରେ ବୁଝାଇଦିଏ
"କିଛି ନାହିଁ ମ
ଏତକ ମଜାରେ କହିଦେଲି ବୋଲି"
ସେ ମୋ କଥା
ସେତେବେଳେ କେତେ ବୁଝେ
ମୁଁ ଜାଣେନା
କିନ୍ତୁ ଢେଉ ମାଳାର
ନିରନ୍ତରତାକୁ ସମ୍ମାନ ଦେଇ
ବିନା କିଛି ହାସଲ କରି
ମୁଁ ସ୍ବାକ୍ଷର କରିଦିଏ
ଆଉ ଗୋଟେ ସନ୍ଧିନାମାରେ
ଆଉ ସେ ଭଗ୍ନ ଲହରୀଟେ ହୋଇ
ଏବେ ଫେରିଯାଏ
ସମୁଦ୍ର କୋଳକୁ
ତାର ଏହି ଫେରିଗଲା ବେଳେ
ମୁଁ କରିଥିବା ଦୁଷ୍ଟାମୀକୁ ସ୍ପଷ୍ଟ କରେ
ତା ଆଗରେ
ସେହି ପ୍ରଶ୍ନ ଦୋହରାଇ କହେ
"ମାନେ ?"
ଏଥର କିନ୍ତୁ
କ୍ଷୀଣ ଆଉ ଅନୁରାଗ ରଞ୍ଜିତ ସ୍ୱରରେ
ଯେମିତି ଏହି ଘଡିର
ଅପେକ୍ଷା ଥିଲା ମୋତେ
ମୁଁ ବଡ଼ ଲହରୀଟେ ହୋଇ
ତାକୁ ଓଠ ପାଖକୁ ଟାଣିଆଣି କହେ-
ସବୁବେଳେ ଖାଲି
"ମାନେ ?"
"ମାନେ ?"
"ମାନେ ?"
ଏଇ ନିଅ ତୁମ
"ମାନେ ?"ର ଉତ୍ତର