ମହାଚୋର
ମହାଚୋର
ସଖି ! ବାରେ ଚାହାଁ ଅପୂର୍ବ ଏ ଦୃଶ୍ୟ
ପହଣ୍ଡି ବିଜେ କାଳିଆ
ମହା ଚୋର ବୋଲି ବାନ୍ଧି ଆଣୁଛନ୍ତି
ପଣ୍ଡା ପଡ଼ିହାରୀ ଆହା (ଘୋଷା)
ବୃନ୍ଦାବନେ ଚୋରି କରିଥିଲା ସେ' ତ
କ୍ଷୀର ସର ଦଧି କେତେ
ନଟଖଟିଆ ସେ, କୂଟ-କପଟିଆ
ପିଲାଟି ବେଳରୁ ସତେ
ମାତା ଯଶୋମତୀ ଆକଟ ନଶୁଣେ
ଏଡିକି ସେ ଆମାନିଆ
ସଖି ! ବାରେ ଚାହାଁ... (୧)
ଚୋରି କରିଥିଲା ଗୋପାଙ୍ଗନା ବସ୍ତ୍ର
ରାଧାର ମାନ-ମହତ
ନିରବେ ବସିଛି ନଜାଣିଲା ପରି
ନୀଳାଚଳେ ଜଗନ୍ନାଥ
ଅଣ୍ଟାରେ ଯେ ଆଣ୍ଟ ଦଉଡ଼ିକୁ ବନ୍ଧା
କାହିଁ ଯିବ ରସିକିଆ
ସଖି ! ବାରେ ଚାହାଁ.....(୨)
ଚୋରି କରେ ସେହି ଭକତଙ୍କ ଚିତ୍ତ
ଦୁଃଖ ଭୟ ଅଭିମାନ
ଚୋର ବୋଲି ତା'କୁ ଜଗତେ ଖୋଜନ୍ତି
କେତେ ତପୀ-ମୁନି ଜନ
ଭାବରେ ଯେ ବନ୍ଧା ପଡ଼ିଅଛି ଆଜି
ଭକ୍ତ-ଭାବ ବିନୋଦିଆ
ସଖି ! ବାରେ ଚାହାଁ...(୩)
ବନ୍ଧାହୋଇ ପୁଣି ଲାଜ ନାହିଁ ତାକୁ
ହସେ ସେ ତ ଖିଲିଖିଲି
ଭକ୍ତ-ଜନଗଣ ଗାଳି କରୁଛନ୍ତି
ସେ'ଯେ ମହାଚୋର ବୋଲି
ହୃଦ-କାରାଗାରେ ବନ୍ଦି କର ତା'କୁ
ବୁଝିବ ଯଦି ତା' ମାୟା
ସଖି ! ବାରେ ଚାଁହା.... (୪)
ମହାଚୋର ରୂପେ ରୁନ୍ଧାହେବ ସେ'ଯେ
ନନ୍ଦିଘୋଷ ରଥେ ଯାଇ
ଜଗଜ୍ଜନ ସତେ ହୋଇବେ ଆନନ୍ଦ
ସେ ମହା ଚୋରକୁ ପାଇ
ମୋ ମନକୁ ଚୋରି କରିଛି ସେ ଚୋର
ଚାହିଁ ବସିଛି ତା' ରାହା
ସଖୀ ! ବାରେ ଚାଁହା....(୫)