ଶୀତ ଲାଗେ ହିତ
ଶୀତ ଲାଗେ ହିତ
ନାନା ଜାତି ଫୁଲ ଦେଖି ମୁଁ ପ୍ରଫୁଲ୍ଲ
ମୋହି ନିଏ ମୋର ମତି
ଫୁଲଙ୍କ ପିଛାରେ ଦେଖ ବଗିଚାରେ
କେତେ ଅଳି ପ୍ରଜାପତି ।
କାକର କୁହୁଡି ଛାଡିନାହିଁ ଉଡି
ପହଞ୍ଚିଲେ ଫୁଲ ପାଶେ
ଏ ଶୀତ ସକାଳେ ଜାଣିଲେ ତତ୍କାଳେ
କିଏ କେଉଁଭଳି ବାସେ ।
କୁହୁକ ପରଶେ ଅତୀବ ହରଷେ
ଶିହରେ କୁସୁମ ଦଳ
ଛୁଇଁ ଡିମ୍ବକୋଷେ ମଧୁ ପିଇ ପୋଷେ
ପତଙ୍ଗେ ବି ଟଳମଳ ।
ବିବିଧ ମାନର ପାଚିଲା ଧାନର
ହଳଦିଆ କ୍ଷେତ ହସେ
ଚଷାପୁଅ ସୁଖେ ହସହସ ମୁଖେ
ଅମଳକୁ ଅଣ୍ଟା କଷେ ।
ପକ୍ବଶାଳି ଯଦି ଶଗଡ଼ରେ ଲଦି
ଖଳାକୁ ସେ ବୋହି ଆଣେ
ଧାନମନ୍ଥା ପରେ ସଫା କରି ଘରେ
ମାପି ରଖେ ମାଣେ ମାଣେ ।
ଯାନିଯାତ୍ରା ଥାଟ ପରିବାର ହାଟ
ଗାଆଁଦାଣ୍ଡେ ଯେବେ ଶୋହେ
ଋତୁ ମଧ୍ୟେ ଶୀତ ମନେହୁଏ ହିତ
ସର୍ବଜନ ମନ ମୋହେ ।
କଅଁଳିଆ ଖରା ଭଲ ଲାଗେ ପରା
ନିଆଁ ପୁହା କାଠ ଜାଳି
ଗେଣ୍ଡୁଫୁଲ ତୋଳି ଖାଇ ବରକୋଳି
ପିଲାଏ ମାରନ୍ତି ତାଳି ।
ପ୍ରସନ୍ନ କୁମାର ମାଦଳା