ଏଣୁତେଣୁ -୨୦୧୭ (୬)
ଏଣୁତେଣୁ -୨୦୧୭ (୬)
ଜାଣେ ! ମୁଁ ଯାହା କଲେ ବି
ଅଙ୍କୁରି ଉଠେ ତୋ ଆଖିରେ ପ୍ରଶ୍ନ
ହସିଲେ କହିବୁ ପ୍ରେମରେ ପଡ଼ିଛି
କାନ୍ଦିଲେ କହିବୁ ନିଜଠାରୁ ହାରିଛି
କିନ୍ତୁ କହିବୁନି ଥରେ
ନଈ ଭଳି ବୋହି ଯା’ ବୋଲି...
ମୋ ପାଖକୁ ଆସି, ମୋତେ ଭିଡି ଧରି
ପୋଛି ଦେବୁନି କ୍ଷତ ସବୁର ଚିହ୍ନ !
ନିଜର କହି କ’ଣ କାହାକୁ ନିଜର କରିହୁଏ ?
ଅଗଣା ହେଉ କି ଛାତ
ଠିଆ ହେଇ ନିଇତି ଦେଖିଲେ
ଜହ୍ନକୁ କେବେ କ’ଣ ହାତ ମାରି ଛୁଇଁ ହୁଏ ?
ତୋର ଏଇ କଥାକୁ ବି କାଟିଲି
ଗୋଟେ ବଡ଼ ଥାଳିଆରେ ପାଣି ଆଣି
ହାତ ମାରି ଜହ୍ନକୁ ମୁଁ ଛୁଇଁଲି...
ତା’ ପରେ ଆଉ କ’ଣ ?
ବୋହିଲା ହସର ତ୍ରିବେଣୀ
ତୋ ଓଠରେ ମୋ ପିଲାଳିଆମିର
ମୋ ଓଠରେ ପ୍ରେମକୁ ପାଇବାର
ଆଉ ଜହ୍ନ ଓଠରେ;
ଆମ ଦୁହିଁଙ୍କ ପାଗଳାମିର, ହାଃ ହାଃ ହାଃ !!