ସୈନିକଙ୍କ ପାଇଁ
ସୈନିକଙ୍କ ପାଇଁ
ଦଇନିକ ଯିଏ ଦୌବାରିକ ହୁଏ
ସୈନିକ ସିଏ ଆମର
ତତପର ଥାଏ କରମରେ ସଦା
ଦମ୍ଭ ସେ ଦେଶବାସୀର ।
ଜାଗରିତ ପୁଣି ସୁରକ୍ଷା ସ୍ଵାର୍ଥରେ
ହିତକାରୀ ସିଏ ସଦା
ଦେଶ ପ୍ରୀତି ତାର ଅଙ୍ଗେ ଅଙ୍ଗେ ଥାଏ
ବିସ୍ମରଣି ବୀର ବ୍ୟଥା ।
ବୈରୀ ପାଇଁ ତାର ବଳ ଅପର୍ଯ୍ୟାପ୍ତ
ଶେଷ ରକ୍ତ ବିନ୍ଦୁ ଯାଏ
ଯୁଦ୍ଧ ପାଇଁ ଯେବେ ପ୍ରସ୍ତୁତି ପ୍ରସବେ
ନିର୍ଭୟେ ଶାଣିତ ହୁଏ ।
କର୍ମ ନିରାମୟ ହୁଏ ତା ଆଶ୍ରୟ
ଧର୍ମ ଭୂମି ତାର ବକ୍ଷେ
ଲହୁ ଲୁହାଣରେ ଭାଙ୍ଗି ପଡେନାହିଁ
ମାତୃଭୂମି ମାନ ରଖେ ।
ରକତ ରଞ୍ଜିତ ସମର ସଜ୍ଜିତ
ମୃତ୍ୟୁ ପାଇଁ ନାହିଁ ଶୋକ
ଅଲକ୍ଷ ଲକ୍ଷରେ ଜୀବନ ଯାହାର
ହେଉଥାଏ ପରାଗତ ।
ଦେଶରକ୍ଷା ତାର ଜୀବନର ପଣ
ନେଉଥାଏ ଦୀକ୍ଷା ଦର୍ପେ
ମାତୃଭୂମି ପାଇଁ ମମତା ଚିତ୍କାରେ
ଶତୃ ସୈନ୍ୟ ପାଇଁ କୋପେ ।
ଇଜ୍ଜତର ପାଇଁ ସଜ୍ଜିତ ଥାଏ ସେ
ଦିନ ରାତି ସୀମା ପାଖେ
ବର୍ବର ହୁଅନ୍ତି ଖର୍ବର କରିଲେ
ଖର୍ପର କାଢିବା ଲକ୍ଷେ ।
କର୍ତ୍ତବ୍ୟରେ ରତ ସୈନ୍ୟ ଯେତେ ବ୍ୟାପ୍ତ
ସଜାଗେ ଉଜାଗେ ରହି
ଭୁଲିଯାଏ ପ୍ରୀତି ପରିବାର ସ୍ମୃତି
ମାତୃଭୂମି ରକ୍ଷା ପାଇଁ ।
ଜୀବନ ଜର୍ଜ୍ଜିତ ସପନୁ ବଞ୍ଚିତ
ସ୍ନେହ ହୁଏ ଲୋଲୁପିତ
ବନବାସ ଯାର ନିତ୍ୟ ପାରାବାର
ଖରା ବର୍ଷା ରାତି ଶୀତ ।
ଯାଠାରେ ସଂସାର ସୁଖର ସାଗର
ଦେଶବାସୀ ପରିଜନ
ହେ ବୀର ସୈନିକ ମାତୃଭୂମି ପାଇଁ
ଶତେକ ଶତ ନମନ ।
ପ୍ରଶାନ୍ତ କୁମାର ହୋତା