ଦେଉଥାଅ ଜ୍ଞାନ
ଦେଉଥାଅ ଜ୍ଞାନ
ଦୁଃଖ ପଛେ ଦିଅ ଦେଉଥାଅ ଜ୍ଞାନ
ଦୁଃଖଦତ୍ତ ଜ୍ଞାନ ଚକ୍ଷୁରେ
ଜଗତ ଜଞ୍ଜାଳ ବୁଝିବା ଜଟିଳ
ଏତିକି ଗୁହାରି ତୋ ଠାରେ ।
ଦେଖି ଦେଖି ମୁହିଁ ହେଲିଣି ଅଭ୍ୟସ୍ତ
ଚିରଦିନ ଦୁଃଖ ଦଇନ
ମୋ ଚକ୍ଷୁରେ ଯାହା ଦେଖୁଚି ଜଗତ
ମୋ ଠାରୁବି ଅଛନ୍ତି ହୀନ ।
ସୁଖ ବୋଲି ଯାହା ଦିଶୁଛି ନେତ୍ରରେ
ଗଲାଣି ମୋ ଇଛା ଦୂରେଇ
ଦିଅ ମୋତେ ଜ୍ଞାନ ଆଶ୍ରୟ ତୁମର
ଭକ୍ତି ଭାବେ ଯିବି ପାଖେଇ ।
ବସ୍ତୁ ଅବସ୍ତୁରେ କି ଅବା ପ୍ରଭେଦ
ତୁମରି ଲୀଳାରେ ଜଗତ
ତୁମେ ଇଚ୍ଛା କଲେ ସବୁତ ସାକାର
ସର୍ବମୟ ହେ ଜଗନ୍ନାଥ ।
ପ୍ରଶାନ୍ତ କୁମାର ହୋତା