ସ୍ୱଗତୋକ୍ତି
ସ୍ୱଗତୋକ୍ତି
ହଁ କବିତା !
ତୁମ ସହ ଦେଖା ହେଉଥିଲା ପ୍ରତିଦିନ—
ସ୍କୁଲ୍‐ଦିନ ମାନନଙ୍କରେ,
ଛାପି ହୋଇ ଯାଇଥିଲା— ତୁମ ମୁହଁର ଛବିଟା
ମନ ପରଦାରେ ମୋର।
ବୁଝି ପାରି ନଥିଲି ମୁଁ ତୁମକୁ ସେତେବେଳେ,
ସେଇଥି ପାଇଁ ତ ଅନ୍ତରଙ୍ଗ
ହୋଇ ପାରିନଥିଲି ତୁମର।
କାଁ ଭାଁ ଦେଖା ହୋଇଥିଲା—
କଲେଜ ଜୀବନରେ।
ଫର୍ମାଲିଟି ରକ୍ଷାକରି କଥା ହୋଇଥିଲ ତୁମେ—
ବହୁତ ଜଗି ରଖି।
ପଦେ ଅଧେ ଲେଖି ଜଣେଇବାକୁ ଚେଷ୍ଟା କରି
ପୁଣି ରଖି ଦେଇଥିଲି।
ଆଜି ପରିକା ମୋବାଇଲ୍, ହ୍ୱାଟ୍ସାପ୍ କି ଫେସ୍‐ବୁକ୍
ଥିଲା ଯେ କେଉଁଠି—ଯୋଗାଯୋଗ କରିବାକୁ?
ହଁ ତା'ପରେ —
ବୁଡି ରହିଥିଲି କର୍ମ ଜଞ୍ଜାଳ ଭିତରେ।
ଭୁଲି ଯାଇଥିଲି ସବୁ— ତୁମକୁ ବି ।
ବିଚିତ୍ର ଏ ବିଧିର ବିଧାନ—
ପୁଣି ଭେଟ ହେଲା ତୁମ ସହ
ଏଇ ଅବସର ଜୀବନରେ ମୋର।
ପୁଣି ଚଳ ଚଞ୍ଚଳ ହୋଇପଡିଲି ମୁଁ,
ଚାହୁଁ ନଥିଲି ପୂର୍ବର ଭୁଲକୁ ଦୋହରାଇବାକୁ।
ବହୁତ ଅନ୍ତରଙ୍ଗ ହୋଇଗଲ ତୁମେ,
ତୁମକୁ ଖୁସି କରିବା ପାଇଁ
ଉପହାର ଦେଲି ଆଣି— କେତେ ପରିପାଟୀ
କେତେ ଅଳଙ୍କାର।
ହେଲେ ତୁମର ବି ତ ଗୋଟାଏ ମନ ଅଛି।
ବଦଳି ଯାଇଥିଲା ତୁମର ସେ ପୂରୁଣା ଦିନର
ସରଳ ତରଳ ଛନ୍ଦ ଚପଳ ଚାଲି।
ଅଙ୍କା ବଙ୍କା ଖାଲ ଢିପ ରାସ୍ତାରେ
ଧଇଁ ସଇଁ ହୋଇ ଚାଲିବାରେ
ବୋଧ ହୁଏ ତୁମର ଆନନ୍ଦ।
ବୋଧ ହୁଏ ତୁମର ଅଧିକ ପସନ୍ଦ—
ଆଜିକାଲିର କ୍ଷୁଦ୍ରକାୟ ପରିପାଟୀରେ
ସଜେଇ ହେବାକୁ,
ଶୄଙ୍ଗାରର ଭାବ ନେଇ ଫେସ୍‐ବୁକ୍ ର
ପୃଷ୍ଠା ମଣ୍ଡନ କରିବାକୁ।
ମୁଁ କାହିଁକି ବାରଣ କରିବି ଯେ ?
ତୁମର ବି ତ ମୌଳିକ ଅଧିକାର ରହିଛି—
ନିଜକୁ ପରିପ୍ରକାଶ କରିବା ପାଇଁ।