ଚଙ୍ଗୁ ମଙ୍ଗୁ ଓ ଟିଙ୍ଗୁ
ଚଙ୍ଗୁ ମଙ୍ଗୁ ଓ ଟିଙ୍ଗୁ
ଚଙ୍ଗୁ ମଙ୍ଗୁ ଦିହେଁ ବଡ ଚଗଲା
ତାଙ୍କ ସାଙ୍ଗ ଟିଙ୍ଗୁ ଅଠର ଓଲା
ଚଙ୍ଗୁ ଖେଚଡକୁ ମଙ୍ଗୁ ମାଡୁଆ
ଟିଙ୍ଗୁ ନିରୀହ ଟି ନିର୍ବୁଦ୍ଧିଆ
ସାହୁ ବୁଢା ବଡ ରାଗୁଆ ଲୋକ
ତାଙ୍କରି ବାଡିରେ ପିଜୁଳି ଗଛ
ଚଙ୍ଗୁ ମଙ୍ଗୁ ଦିନେ ବିଚାର କଲେ
ପିଜୁଳି ପାରିବେ ସେ ଖରାବେଳେ
ଟିଙ୍ଗୁ ନିର୍ବୁଦ୍ଧିଆ କାହୁଁ ଜାଣିବ
ଟେକି ଟୁକା ଦେଲେ ଗଛ ଚଢିବ
ଚଙ୍ଗୁ ମଙ୍ଗୁ ଦିହେଁ ରହିଲେ ତଳେ
ଟିଙ୍ଗୁ ଚଢିଗଲା ଗଛର ଡାଳେ
ରଡ ମଡ ଯେବେ ଗଛ ହୋଇଲା
ଶୁଣି ସାହୁ ବୁଢା ନିଦ ଭାଙ୍ଗିଲା
ଆସିଲା ଧାଇଁ ,
ଚଙ୍ଗୁ ମଙ୍ଗୁ ଦିହେଁ ଗଲେ ପଳାଇ
ଟିଙ୍ଗୁ ବିଚରା ,
ସାହୁ ବୁଢା ହାତେ ପଡିଲା ଧରା
ଗାଳି ମନ୍ଦ ଯେତେ ବୁଢା ଯା ଦେଲା
ଘରେ ଜାଣିଲାରୁ, ଟିଙ୍ଗୁ ହୀନସ୍ତା ହେଲା
ଟିଙ୍ଗୁ ସେଦିନୁ ,
ଚଙ୍ଗୁ ମଙ୍ଗୁ କଥା ଭୁଲିଳା ମନୁ
ତାଙ୍କ ସହ ଆଉ ନହୋଇ ସାଥୀ
ପାଠ ପଢିବାରେ ଦେଲା ସେ ମତି ।
ବର୍ଷ ଶେଷେ ହେଲା ଶ୍ରେଣୀ ପରୀକ୍ଷା
ଟିଙ୍ଗୁ କୃତକାର୍ଯ୍ୟ ହୋଇଲା ଏକା ।
ଚଙ୍ଗୁ ଓ ମଙ୍ଗୁ, ନିଜ ଫଳ ଭୋଗିଲେ
ଅକୃତକାର୍ଯ୍ୟ ହେଲେ ଦୁଷ୍ଟାମି ପଣେ ।
ଚଙ୍ଗୁ ମଙ୍ଗୁ ନିଜ ଦୋଷ ବୁଝିଲେ
ଟିଙ୍ଗୁ ପାଶେ ଯାଇ କ୍ଷମା ମାଗିଲେ
କହିଲା ଟିଙ୍ଗୁ,
ଦୃଷ୍ଟ ବୁଦ୍ଧି ଏବେ ଛାଡ ହେ ବନ୍ଧୁ।
ଆସ ଶପଥ ନେବା ,
ଭଲ ପଢି ଭଲ ମଣିଷ ହେବା ।
ଶାରଦା ପ୍ରସାଦ ପରିଡା
ଅଧ୍ୟାପକ, ମେକାନିକାଲ ଇଂଜିନିୟରିଗଂ,
କୋଣାର୍କ ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ , ଖୋର୍ଦ୍ଧା