ବର୍ଷା ବନାମ ଅଭିମାନ
ବର୍ଷା ବନାମ ଅଭିମାନ
ବର୍ଷା ଗୋ !
ତୁମ ଭିଜା ଓଢଣୀକୁ
ମେଲେଇ ଦେଲେ
ଫର ଫର ଉଡି
ପ୍ରୀତି ପାରିଜାତ
ମହାକିଯାଏ ।
ଝରା ଫୁଲ ଝରିଯାଏ
ଚାରି ଆଡ଼େ ଶ୍ରାବଣୀର ଧାରା ।
ଅଭିମାନ !
ତୁମେ ଏତେ ଅଭିମାନୀ !
ତୁମେ ବର୍ଷିଗଲେ
ବିଦଗ୍ଧ ବଉଦ
ତରଳି ଯାଏ ।
ଶୀତ ଆହୁରି ଶୀତାକ୍ତ
ଆହୁରି ଧୂମ୍ର ହୋଇଯାଏ ।
ବର୍ଷା !
ତୁମେ ବଉଦକୁ
କେତେବେଳେ ହସାଇ ଝରୁଛ।
କେତେବେଳେ ବଉଦ ବି
ତୁମ ପାଇଁ କାନ୍ଦେ ।
ତୁମ ଚାହାଣିରେ
ବିଜୁଳି ଚମକ,
ଆକାଶରେ ଗାର ଟାଣିହୁଏ।
ଶ୍ରାବଣୀ ସଙ୍ଗାତ ତୁମେ,
ପୁଣି ବେଳେବେଳେ
ଶ୍ରାବଣୀର ସଉତୁଣୀ ରୂପ ।
ଅଭିମାନ !
ତୁମେ ନୂଆ ବୋହୁ ସାଜି
ପଣତରେ ମୁହଁକୁ ଲୁଚାଅ ।
ଚକୋରୀର ଚିବୁକକୁ
ଲୁହରେ ଭିଜାଅ ।
ସତେ ଅବା ତୁମେ
"ରାଗ"ର ରଙ୍ଗୀନ ପ୍ରେମିକା
ଅବା "ମାନ"ର ମାନିନୀ ସଙ୍ଗିନୀ ।
ଯାହା ହୁଅ ପଛେ,
ବେଦନା ତ ଦେଇଯାଅ ।
ମିଛି ମିଛିକା ଓଢଣୀରେ
ମୁହଁକୁ ଲୁଚାଇ !
ବିତିଯାଏ କିଛିଟା ମୁହୂର୍ତ୍ତ
ବର୍ଷା ଓ ଅଭିମାନ ! !
ହଜିଯାଅ,ଫିକା ପଡ଼ିଯାଅ ।
ଜହ୍ନ ଜୋଛନାରେ
ତାରା ସବୁ ଲୁଚିଗଲା ପରି ।
ଅଳପ ଲୁହରେ,
ଅଭିନ୍ନ ସୁରରେ,
ଧୀରେ ଧୀରେ ଆସ,
ଆସି ପୁଣି ଚାଲିଯାଅ ।
ଢାଳିଦେଇ ଯାଅ
ବିରହର ବନ୍ୟା ।
ସେଥି ପାଇଁ
ହୋଇଯାଅ
କବିଙ୍କର
ମାନସର କନ୍ୟା ।