ତୁମେ ହିଁ ସୁନ୍ଦର
ତୁମେ ହିଁ ସୁନ୍ଦର
ଦରଦ ବି ବେଳେବେଳେ
ଦରଦୀ ର ମନ ଜାଣି ନିଏ ।
ବ୍ୟଥାରେ ବ୍ୟଥାରେ ତା'ର
ଅନ୍ତରର ଘା' ଭରିଦିଏ ।।
ବୈଶାଖର ରୁଦ୍ର ରଙ୍ଗ
ସବୁବେଳେ ଅନ୍ତର୍ଘାତୀ ନୁହେଁ ।
ରୁଦ୍ରତା ରୁକ୍ଷ ନ ହୋଇ
ଝାଞ୍ଜି ରେ ବି ଶ୍ରାବଣ ଝରାଏ ।।
ଶ୍ରାବଣୀ କି ସବୁବେଳେ
ତା'ପଣତେ ପ୍ରୀତି ବାଢିଥାଏ ?
ଅକୁହା ବ୍ୟଥାରେ ତା'ର
ନିଜେ ଜଳି, ଜ୍ବଳନ ହିଁ ଦିଏ ।।
ଜ୍ବଳନ ଜର୍ଜର କରେ
ନିଜ ସାଥେ ଅନ୍ୟର କ୍ଷତକୁ ।
କ୍ଷତରେ କ୍ଷତରେ ରହି
ଭାଙ୍ଗିଦିଏ ସୁନା କଳ୍ପନାକୁ ।।
କଳ୍ପନା ମନର ମିଠା
ପ୍ରୀତି ଭରା ମଧୁର ସମ୍ଭାର ।
ନିଜେ ତ ସୁନ୍ଦରୀ ସାଜେ
ସାଜି,କରେ ଅନ୍ୟକୁ ସୁନ୍ଦର ।।
ଦରଦ ର ଦହନରେ
ହେବା ନାହିଁ ବ୍ୟଥା ଜର୍ଜରିତ ।
ଦରଦ କୁ ସାଥି କରି
ଲଙ୍ଘିଯିବା ଆଘାତ ସଂଘାତ ।।
କଳ୍ପନା କୁ କଳ୍ପୁ କଳ୍ପୁ
ଛୁଇଁ ଯିବା ମୃଣ୍ମୟୀ ରଚନା ।
ସଂସାର ସୁନ୍ଦରୀ,ଦିବ୍ୟ,
ନାହିଁ ସ୍ଥାନ କୁତ୍ସାର ଭାବନା ।।
ହେ ସଂସାର,ତୁମେ ନିତ୍ୟ
ସତ୍ୟ,ଶିବ,ତୁମେ ହିଁ ସୁନ୍ଦର ।
ଚାରି ଆଡ଼େ ପରିବ୍ୟାପ୍ତ
ହସ,ଖୁସି,ସୁଖର ସମ୍ଭାର ।।
ମଣିଷ ମୁଁ, ଭାଙ୍ଗିବି ନି
ଦରଦ ର କ୍ଷୀଣ ଯାତନାରେ ।
ଉତ୍ପ୍ଲୁତ ହେବିନି କେବେ
ମିଠା ମିଠା ମଧୁ ଜହରରେ ।।
ମଣିଷ ମୁଁ, ଶ୍ରେଷ୍ଠ ସତେ
ପୁନର୍ଜନ୍ମ ନାହିଁ ମୋ'ବିଶ୍ୱାସ ।
ମରିବା ଆଗରୁ ଦେବି
ସମାଜକୁ ସୁସ୍ଥ ଜୀବନ୍ୟାସ ।।
ଦରଦ କୁ ପିଇ ଯିବି
ବାଣ୍ଟି ଯିବି ପ୍ରେମର ପାଖୁଡା ।
ସଂସାରର ଅଙ୍ଗେ ଅଙ୍ଗେ
ସୁରଭିତ,ସୁଷମ, ସଜଡା ।।