ପ୍ରେମମୟ ଯୀଶୁ
ପ୍ରେମମୟ ଯୀଶୁ
କ୍ରୁଶବିଦ୍ଧ ଶରୀରରେ
ପୋଷ ପୋଷ ନିଗିଡି ପଡୁଥିବା
ଟକ୍ ମକ୍ ଫୁଟନ୍ତା ତତଲା ରକ୍ତରେ
କେତେଦିନ ସହୁଥିବ
ଅତ୍ୟାଚାରୀର ଅତ୍ୟାଚାର
ଯାତନାର ଦାବାନଳ
ବ୍ୟଭିଚାରୀ ର ବ୍ୟଭିଚାର
ନର୍କପଥ ହିଂସାରେ ଶାଣିତ
ଯୂପକାଠେ ଚିତ୍କାର କରୁଥିବା
କେତେ ନୀରିହ କଅଁଳ ଜୀବନ ।
କେତେକାଳ ଦେଖୁଥିବ
ପାପର ସାମ୍ରାଜ୍ୟ
ବୃଥା ଅହମିକା ଓ ଅହଙ୍କାର
ଅସହିଷ୍ଣୁତାର ଯେତେ କଣ୍ଟକିତ ମାର୍ଗ
ଧର୍ମ ନାଁ ରେ ଯେତକ ଅଧର୍ମ
ରକ୍ତ ର ଛିଟା ବିଛୁରିତ ଚଉଦିଗ
ଝଲମଲ ଦିବାଲୋକେ ଅବା
ଗାଢ ଅନ୍ଧକାରେ ।
କେତେକାଳ କ୍ଷମାର ସୁବର୍ଣ୍ଣ ଭଣ୍ଡାର
ଝରୁଥିବ ଝର ଝର ଚିର ଦିନ
ତୁମ ହାତ ପାପୁଲି ରୁ
ହସୁଥିବେ ଦୂରାଚାରୀ
ଜହ୍ଲାଦମାନଙ୍କ ପାପାଚାର
ସେହି ମଧୁମୟ ଅମୃତ ବାଣୀରେ
"ହେ ପ୍ରଭୁ ! ଏମାନଙ୍କୁ କ୍ଷମା କର
ଏମାନେ କ'ଣ କରୁଛନ୍ତି ତାହା ଜାଣନ୍ତି ନାହିଁ । "
ବେଳ ଆସି ଉଛୁର ହେଲାଣି
ଗଛ ପତ୍ର ବିବର୍ଣ୍ଣ ହେଲାଣି
ହୁତୁ ହୁତୁ ଜଳିଲାଣି
ମିଥ୍ୟା ,କପଟତାର ଲେଲିହାନ ଶିଖା
ଆଉଟୁ ପାଉଟୁ ଯନ୍ତ୍ରଣାସିକ୍ତ ହୃଦୟ
ଖଣ୍ଡ ବିଖଣ୍ଡିତ ଧରିତ୍ରୀର କୋମଳ ମନଟି
ଅପଯଶ , ଶତୃତା ର ଧାରୁଆ ଅସ୍ତ୍ର ରେ ।
କଡ ନେଉଟାଇଲାଣି
ଦୁର୍ନୀତିର ନାଗସାପ
କଅଁଳ ଖରାର ମୁଲାୟମ ଆବରଣ
ବେଳକୁ ବେଳ ବୟସ୍କ ହେଉଛି
ପଦ୍ମ ଘୁଞ୍ଚି ଯାଏ ଦୂରରୁ ଦୂରକୁ
ସହିବାର ସବୁ ସୀମାରେଖା
କୂଳ ଲଂଘନ କଲାଣି
ଅପହଂଚ ଲାଗେ ଭାତୃତ୍ବ ର ମଧୁର ପୁଲକ
ହେ ପ୍ରଭୁ ! ପ୍ରେମମୟ ଯୀଶୁ
ଅବତାରୀ ଆସ ପୁନଶ୍ଚ
ଏ ଧରା ପୃଷ୍ଠକୁ
ଆଉ ଏକ ମହା ସଂଗ୍ରାମ ର
ଆହ୍ବାନ ପୂର୍ବରୁ ।।
ଶରତ କୁମାର ଦାସ