ଦିଗହୀନ କବିତା
ଦିଗହୀନ କବିତା
ଖରାକୁ ପିଠେଇଥିବା ମଣିଷ
କେଉଁ ତାତିକୁ ଡ଼ରିବୁ ତୁ ?
ଡହ ଡହ ଝାଂଜିକୁ ବଳିଯାଏ
ଚାଖଣ୍ଡକ ପେଟର ଜଳନ
ଅସ୍ପଷ୍ଟ ହା ଅନ୍ନ ଅନ୍ନର ଚିତ୍କାର
କେହି ଶୁଣି ପାରନ୍ତିନି ସେ ସବୁ
ନିର୍ବଳ କି ଯୁଝିପାରିବ ସବଳର ସହ !
କେହି ହାତ ଟେକିବାକୁ ଭଲ ପାଏ
ନତୁବା ହାତ ପାତିବାକୁ
କତିପୟ ଲୋକର ଦରଦ
କପଟତାର ଜୁଡୁ ବୁଡୁ
ଟ୍ରାଫିକ୍ ଭିତରେ
ନୁଖୁରା କଙ୍କାଳସାର ଛୁଆଟାକୁ ଆଳ କରି
ପେଟ ଚାଖଣ୍ଡକ ପାଇଁ
ଆହାର ଖୋଜୁ ଥିବା
ଅର୍ଦ୍ଧ ନଗ୍ନ 'ମା'ଟା
ତମକୁ କପଟତା ଦିଶେ
କିଏ ଅସହାୟରେ ?
ଅସହିଷ୍ଣୁତାର ତାତି
ଜାଳିଦିଏ ବିବେକ
ଥୋକେ ନିରବ ଦ୍ରଷ୍ଟା ସାଜନ୍ତି
ଆଉ ଥୋକେ
ଆପଣାର ତୁଚ୍ଛ ଦୁଃଖର
ଆଢୁଆଳରେ
ଈଶ୍ଵରଙ୍କୁ ଦୋଷ ଦେବାରେ ବ୍ୟସ୍ତ
ବୈଶାଖରେ ସେମିତି ହସୁଥିବା ସେ କୃଷ୍ଣଚୂଡା
କଟାକ୍ଷ କରେ କି ତାତିକୁ
ତଥାପି ବି ବୁଝିବାକୁ ବାକି ଥାଏ
ତାତିର ଠିକଣା …………