ତ୍ରାହି ଜଗନ୍ନାଥ ତ୍ରାହି ଜଗନ୍ନାଥ
ତ୍ରାହି ଜଗନ୍ନାଥ ତ୍ରାହି ଜଗନ୍ନାଥ
ହେ ଜଗନ୍ନାଥ ତୁମେ ଅଛ କେମିତି?
ଫୋନି ପାଇଁ ଡରରେ ମୁଁ ଯେମିତି,
ତୁମେ କି ସେମିତି ?
ତୁମେ ସିନା ଅଚଳ ମହାମେରୁ
ଫୋନି ଟା ତୁମ ପାଖେ କେତେ ବଳବାନ ଯେ,
ମୁଁ ପରା ସାମାନ୍ୟ ମଣିଷ
ବଳ କେତେ ତୁମେ ତ ଜାଣିଛ ।
ତୁମେ ସିନା ସାଗରର ଜ୍ୱାଇଁ
ମହାସାଗର ର ଝଡ଼ ମାନେ ତୁମ ପୋଷା,
ମୁଁ ପରା ସାଧାରଣ ମଣିଷ
ଫୋନି ଉଡ଼େଇନବ ସହସା ।
ତୁମେ ସିନା ନାଥ ଲଷ୍ମୀପତି
ସବୁକିଛି ତୁମକୁ ହେବ ସୁଲଭ
ମୁଁ ପରା ନିମିତ୍ତ ମାତ୍ର,
ଦୁଇଦିନ ନଖାଇଲେ ପ୍ରାଣ ମୋ ବିକଳ ହେବ ।
ମୋତେ କିନ୍ତୁ ଡର ନାହିଁ ପ୍ରଭୁ
କାରଣ ଏଥର ଫନି ଆସୁଛି
ତୁମ ସିଂହଦ୍ୱାର ଦେଇ
ମୋତେ ଛୁଇଁବା ପୂର୍ବରୁ
ଆସୁଛି ସେ ନୀଳଚକ୍ର ଛୁଇଁ ।
ଏଣୁ ଆଶା କରୁଛି ଏଥର ଝଡ଼ କହିବ
ବିନାଶର ବଦଳରେ ଭାଷା ବିକାଶର
ଏଥର ଫନି କରିବ ମୋତେ ଶକ୍ତିଶାଳୀ
ଯେହେତୁ ତାହା ବହୁଛି
ଭୁଜ ଛୁଇଁ କାଳିଆର ।
ସବୁକିଛି ଦୁଃଖ କଷ୍ଟ ଏଥର ଫନି ନେଉ ଉଡେଇ
କାରଣ ସେ ଆସୁଛି ଦୁଃଖ ନାଶନଙ୍କ ଅନୁମତି ନେଇ ।
ଏଥର ଫନି ଧୋଇଦେଉ ମନ ଅଗଣାରେ,
କୁଢ଼ କୁଢ଼ ପାପ ଜନ୍ମ ଜନ୍ମାନ୍ତର କୁ ନେଇ
କାରଣ ସେ ବହୁଛି ପତିତପାବନ ବାନା ଉଡେଇ ।
ଏଥର ଫୋନିଝଡ଼ ଦର୍ପ ଅଭିମାନ ଅହଂକାର ଭାଙ୍ଗିବ ମୋର,
କାରଣ ସେ ପ୍ରଥମେ ପାଦ ଥପୁଛି
ପୁରୁଷୋତ୍ତମ କ୍ଷେତ୍ରରେ ତୁମର ।
ଏଥର ଫନି ଗଲା ବେଳେ ବୋଳିଦେବ
ମୋ ଓଠରେ ଅମିଳନ ସ୍ମିତହାସ୍ୟ
ସବୁଦିନ ପାଇଁ କାଳିଆର ଓଠ ଧାରେ
ନାଲି ହାସ୍ୟ ପରି ।
ଏଣୁ ହେ ଜଗନ୍ନାଥ ତୁମେ ପ୍ରସ୍ତୁତ ରହିଥାଅ
ମୁଁ ତୁମ ଛତ୍ରଛାୟା ତଳେ ରହିଥାଏ
ନିଶ୍ଚିନ୍ତ ବାଇଚଢେଇଟିଏ ପରି ।