ଅବଶୋଷ
ଅବଶୋଷ
ବହୁତ କିଛି ମାଗି ନାହିଁ ତ
ମୁଠେ ନୀରିହ ସ୍ୱପ୍ନ ଆମର
ନିହାତି ନିଜର ମଣିଷ ସହ
ଗୋଟେ ଚାରି କାନ୍ଥର ଘର
ତୋ ମୋ ଠୁ ଉର୍ଦ୍ଧ୍ବରେ ପୃଷ୍ଟ
ସ୍ୱାର୍ଥହୀନ ଯୌଥ ପରିବାର
ମା' ମମତାର ସୁରକ୍ଷା ତଳେ
ପ୍ରସ୍ଫୁଟିତ ସବୁଜ ସଦା ସୁନ୍ଦର
ପିତାଙ୍କ ଶାସନ ଶୃଙ୍ଖଳରେ
ମାର୍ଜିତ ପରିପୃଷ୍ଟ ଜୀଵନ ଧାର
ଦ୍ଵେଷ , ହିଂସା , ଦ୍ୱନ୍ଦ୍ବ ରହିତ
ସାଧା ସିଧା ସମ୍ପର୍କର ସହର
ପରସ୍ପର ଲାଗି ଅମାପ ଶ୍ରଦ୍ଧା
ଖୁଵ ମିଠା ବିଶ୍ୱାସର ନଅର
ସଖୀ ପରି ବଡ଼ ସାନ ଭଉଣୀ
ଶୁଭାକାଂକ୍ଷୀ ପ୍ରୀତି ପାରାବାର
ଆକାଶ ପରି ବିଶାଳ ହୃଦୟ
ଥିବା ସାନ ବଡ଼ ଭାଇ ମୋର
ବାସ ସେତିକି ତ ଚିର ଇପ୍ସିତ
ଏଇ ଅବୁଝା ଅମାନିଆ ମନର
କିନ୍ତୁ ସଙ୍କୁଚିତ ଆଜି ସମ୍ପର୍କ
ଆଉ ବିଲୁପ୍ତ ସେପ୍ରୀତି ଜୁଆର
ସବୁଠି ନିଜ ପରର ହିସାବ
ଅବୋଧ୍ୟ ଆଜି ସୃଜନ ତୋର
ନିଜ ଲୋକ ଖୋଜୁଛି ଏ ଆଖି
କିନ୍ତୁ ଆଜି କେହି ନୁହେଁ ନିଜର
*ସୌମ୍ୟା ଶୁଭଦର୍ଶିନୀ*